ଗରିବ ଝିଅ ନବୀନାଙ୍କୁ ମିଳିଲା ନୂଆ ଜୀବନ: କନ୍ୟାଦାନ କରି ମାନବିକତାର ପରିଚୟ ଦେଲେ ସୁନ୍ଦରଗଡ ରଙ୍ଗାଢିପାର ଦମ୍ପତି ସଂଜୟ ଓ ଇଲା

244

କନକ ବ୍ୟୁରୋ: ନିଜର ନହେଲେ ବି ଝିଅଠୁ ବଳି ଭଲ ପାଆନ୍ତି । ଏକ ଗରିବ ଅସହାୟ ଝିଅକୁ ଘରେ ରଖି ନିଜ ଝିଅ ଭଳି ପାଳିପୋଷି ବଡ କରିଲେ । ଆଉ ଏବେ ହାତକୁ ଦୁଇ ହାତ କରିଛନ୍ତି ସୁନ୍ଦରଗଡ ସହର ରଙ୍ଗାଢିପା ଅଚଂଳର ଏହି ଦମ୍ପତି ସଞ୍ଜୟ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଇଲା । ଛୋଟ ବେଳେ ଅସହାୟ ନବୀନାକୁ ନିଜ ଝିଅ ଭଳି ପାଳିପୋଶି ବଡ କରିବା ସହ ତାର କନ୍ୟାଦାନ କରି ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ବାଜା ବାଜୁଛି , ହୁଳହୁଳି ଏବଂ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିବେଶ । ଆଜିଠୁ ଠିକ୍ ୧୭ ବର୍ଷ ତଳେ ପାଳିଥିବା ନବୀନାର ବାହାଘର ହୋଇଛି । ଆଉ କନ୍ୟା ଦାନ କରିଛନ୍ତି ସଂଜୟ ଓ ଇଲା । ତାର ନିଜ ବାପା ମା ନୁହଁ ବରଂ ତାକୁ ନୂଆ ଜୀବନ ଦେଇଥିବା ଏହି ବାପା ମା ତାର ବିବାହ କରିଛନ୍ତି ।

ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଏକ ହୋଟେଲରେ କାମ କରୁଥିଲେ ନବୀନା । ଏହି ପରିସ୍ଥିତିକୁ ଦେଖି ସଞ୍ଜୟ ନିଜ ଘରକୁ ତାକୁ ନେଇ ଆସିଥିଲେ । ଝିଅ ଭଳି ରଖିଲେ ପାଠଶାଠ ପଢାଇ ବଡ କଲେ । ସଞ୍ଜୟ ଏବଂ ଇଲାଙ୍କ ଏକ ମାତ୍ର ପୁଅ ଥିବା ବେଳେ ନବୀନା ଝିଅର ଅଭାବ କୁ ପୁରା କରିଥିଲା । ଏବେ ପାଳିଥିବା ଝିଅକୁ ସଞ୍ଜୟ ଏବଂ ଇଲା ବାପା ମା ସାଜି ବିବାହ କରିବା ସହିତ କନ୍ୟାଦାନ କରିଥିବା ବେଳେ ତାଙ୍କୁ ବିଭିନ ମହଲରେ ପ୍ରଶଂସା କରାଯାଇଛି । ନିଜ ଝିଅକୁ ବୈଦିକ ରୀତିରେ ବିବାହ କରିବା ସହ ନିଜ ମାନବିକତାର ପରିଚୟ ଦେଇଛନ୍ତି ଏହି ଦମ୍ପତି ।