ଛାତିକୁ ପଥର କରି ପୁଅ ଗୋଡରେ ବେଡି ପକାଇଛି ମା’ । ରତ୍ନାକରଙ୍କ  ଚିକିତ୍ସା କରାଇ ପାରୁନାହାନ୍ତି ଗରିବ ବାପା, ମା’

72

କନକ ବ୍ୟୁରୋ: ଅସୁସ୍ଥ ପୁଅର ଚିକିତ୍ସା କରାଇବାକୁ ଯାଇ ବାପା ମା’ ଲୁହଲହୁ ଏକାଠି କରି ଯେତେବେଳେ ବିଫଳ ହୁଅନ୍ତି, ତାଠୁ ବଡ ଦୁଃଖର କଥା ଆଉ କଣ ହୋଇପାରେ । ଅର୍ଥ ଅଭାବରେ ଶେଷକୁ ମା’ଟିଏ ତା’ ମମତାକୁ ଲୁହା ଶିକୁଳିରେ ବାନ୍ଧି ରଖିବାକୁ ବାଧ୍ୟ ହୁଏ । ଯାହା ଘଟିଛି ଉଦଳା ବ୍ଲକ ଉର୍ମଳ ଗାଁର କାରମୀ ମୁର୍ମୁଙ୍କ କ୍ଷେତ୍ରରେ । ପୁଅ ରତ୍ନାକର, ପାଠ ପଢି ବଡ ମଣିଷ ହେବ, ପରିଣତ ବୟସରେ ବୁଢା ବାପା-ମାଆଙ୍କ ସାହାରା ହେବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ମାଆର ସେଇ ସ୍ୱପ୍ନ ଏବେ ଶିକୁଳିରେ ବନ୍ଧା ହୋଇଛି ।

ସମ୍ପୂର୍ଣ୍ଣ ଘଟଣା ହେଉଛି, ରତ୍ନାକର ଯୁକ୍ତ ୨ରେ ପଢୁଥିବା ବେଳେ ତାଙ୍କର ମାନସିକ ବିକୃତି ଦେଖାଦେଲା । ବାପା ମହାଦେବ ମୁର୍ମୁ, ପୁଅର ଚିକିତ୍ସା କରାଇବା ପାଇଁ ବାରିପଦା, ବାଲେଶ୍ୱର ଓ କଟକ ନେଲେ । ଚିକିତ୍ସା ହେବାର କିଛି ବର୍ଷ ପୁଅ ଠିକ୍ ଠାକ୍ ରହିଲା । ପୁଅ ସୁସ୍ଥ ହେବା ପରେ ତା’ର ବାହାଘର ହେଲା, ଏବେ ତା’ର ୭ ବର୍ଷର ପୁଅଟିଏ ରହିଛି । ବାହାଘରର କିଛି ମାସ ପରେ ପୁଣି ସମାନ ରୋଗ ବାହାରିଲା । ହେଲେ ସେତେବେଳେ ଆଉ ସମ୍ଭାଳିପାରିଲେ ନାହିଁ ବାପାମାଆ । ତେଣୁ ୮ ବର୍ଷ ହେବ ପୁଅକୁ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ ।

ରତ୍ନାକରଙ୍କ ସ୍ତ୍ରୀ ଓ ବାପା ଦିନ ମଜୁରିଆ କାମ କରି ଦୁଇ ପଇସା ରୋଜଗାର କରନ୍ତି । ସେଥିରେ ପରିବାର ଚଳୁଛି । ମାଆ, ପୁଅର ସବୁ ସେବା କରୁଛନ୍ତି । ପୁଅ ଯେମିତି ଅବସ୍ଥାରେ ଥାଉ ଆଖି ସାମ୍ନାରେ ରହୁ, ଏହି ଆଶାରେ ତାକୁ ଶିକୁଳିରେ ବାନ୍ଧି ରଖିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ହେଉ ବା କୌଣସି ବଦାନ୍ୟ ବ୍ୟକ୍ତି ରତ୍ନାକରଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଲେ ତାଙ୍କ ପାଦରୁ ବେଡି ଫିଟନ୍ତା ଆଉ ସେ ବାକି ଜୀବନ ବାପାମାଆ ଏବଂ ସ୍ତ୍ରୀ ଛୁଆକୁ ସହ ବିତାଇପାରନ୍ତେ ବୋଲି ଆଶା ।