କନକ ବ୍ୟୁରୋ : ସହିଦଙ୍କ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ସେମାନଙ୍କ ପରିବାରକୁ ସହାୟତାର ହାତ ବଢାଇଲା ପଞ୍ଜାବ ସରକାର । ଜାମ୍ମୁ-କାଶ୍ମୀରର ପୁଞ୍ଚଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପଞ୍ଜାବର ୪ଜଣ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏହାସହ ସହିଦ ହୋଇଥିବା ୪ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଭାବେ ୧ କୋଟି ଟଙ୍କା ଲେଖାଏଁ ଦେବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଘୋଷଣା କରିଛନ୍ତି ।

Advertisment

ସୂଚନା ଥାଉକି ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଭାଟାଦୁଡିୟା ଅଞ୍ଚଳରେ ଆତଙ୍କବାଦୀମାନେ ଯବାନଙ୍କର ଏକ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏଥିରେ ମୋଟ ୫ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ପଞ୍ଜାବ ଓ ଜଣେ ଓଡିଶାର ଥିଲେ । ଏନେଇ ରାଜୋରୀ ସ୍ଥିତ ହ୍ୱାଇଟ୍ ନାଇନ କୋର ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା । ପଞ୍ଜାବରୁ ସହିଦ ହୋଇଥିବା ୪ଜଣ ଯବାନ ହେଉଛନ୍ତି , ହାବିଲଦାର ମନଦୀପ ସିଂ, ସିପାହୀ ହରକିଶନ ସିଂ, କୁଲବନ୍ତ ସିଂ ଓ ସେବକ ସିଂ । ଏବେ ଏହି ୪ଜଣ ସହିଦ ଯବାନଙ୍କ ପରିବାରକୁ ପଞ୍ଜାବ ସରକାର ୧କୋଟି ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଛି ।

ସେପଟେ ଏହି ଅକ୍ରମଣ ପାଇଁ ପିଏଏଫଏଫ ଆତଙ୍କବାଦୀ ସଂଗଠନ ନିଜକୁ ଦାୟି କରିଛି । ଶ୍ରୀନଗର ଠାରେ ଆସନ୍ତା ମାସ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପୋଲିସ ତରଫରୁ ସେନାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।