ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ନିଆଁ । ପ୍ରତିକ୍ରିୟା ରଖିଲେ ସିଇଓ ଅଦର ପୁନାୱାଲା । କହିଲେ, ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଦେଉଛୁ ଗୁରୁତ୍ୱ

ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା

375

କନକ ବ୍ୟୁରୋ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଭିତରେ କେହି ଫସିରହିନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି, ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଉପରେ ସେ ଧ୍ୟାନ ଦେଉଛନ୍ତି। ଅନ୍ୟ କୌଣସି ବିଷୟରେ ସେ ଚିନ୍ତା କରୁନାହାନ୍ତି ନାହିଁ। ପ୍ରଥମେ ନିଜ ଲୋକଙ୍କୁ ବଞ୍ଚାଇବା ଓ ପରେ କ୍ଷୟକ୍ଷତିର ଆକଳନ କରିବା।

ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିପାରିନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି। ତେବେ ଟିକା ଉତ୍ପାଦନ କରୁଥିବା କ୍ୟାମ୍ପସରେ ନିଆଁ ଲାଗି ନଥିବା ଜାଣି ଲୋକେ ଆଶ୍ୱସ୍ତ ହୋଇଛନ୍ତି।