ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କଲା ୭ ବର୍ଷର ଝିଅ ପରିଙ୍କ ଭିଡିଓ : ପେଶାଦାର କ୍ରିକେଟରଙ୍କ ପରି କ୍ରିକେଟ ଖେଳୁଥିବା ପରିଙ୍କୁ ପ୍ରଶଂସା କଲେ କ୍ରିକେଟର ପୁନମ ଯାଦବ । 

641

ପ୍ରତିଭା ଦେଖେନି ବୟସ । ବର୍ଷକର ଶିଶୁଠାରୁ ଆରମ୍ଭ କରି ୧୦୦ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସବୁ ନିଜ ଲୁକ୍କାୟିତ ପ୍ରତିଭାର ମାଲିକ । ତେବେ ପୂର୍ବରୁ ଲୋକଙ୍କ ପ୍ରତିଭା ସାମ୍ନାକୁ ଆସିବାକୁ ସମୟ ଲାଗୁଥିବା ବେଳେ ଆଜିର ଡିଜିଟାଲ୍ ଯୁଗରେ ସମୟ ମାତ୍ର ନାଁ ହୋଇ ରହିଛି । ସୋସିଆଲ୍ ମିଡିଆ ମାଧ୍ୟମରେ ଜଣେ ସାଧାରଣ ମଣିଷ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ପହଁଚିବାର ବାଟ ପାଉଛି । ତେବେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏଭଳି ଜଣେ ପ୍ରତିଭାବାନ୍ କୁନିଝିଅଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

୭ ବର୍ଷୀୟା ଏହି କୁନି ଝିଅଙ୍କ ନାଁ ହେଉଛି ପରି ଶର୍ମା । ଯାହାଙ୍କ ଭିଡ଼ିଓ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପରି ଜଣେ ଆନ୍ତର୍ଜାତୀୟ କ୍ରିକେଟର ଭଳି ବ୍ୟାଟିଂ କରୁଛନ୍ତି । ଖୁବ୍ କମ ସମୟ ଭିତରେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଅନେକ ପ୍ରଶଂସା ସାଉଁଟିଛି । ସବୁଠାରୁ ବଡ଼ କଥା ହେଉଛି ଭାରତୀୟ କ୍ରିକେଟର ପୁନମ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରିଛି ପରିଙ୍କର ଏହି ଭିଡ଼ିଓ । ପରିଙ୍କର ଏହି ବିସ୍ମୟ କଳାକୁ ପ୍ରଶଂସା କରିଛନ୍ତି ପୁନମ୍ । ଭିଡ଼ିଓରେ ବ୍ୟାଟିଂ କରୁଥିବା ୭ ବର୍ଷର ଝିଅ ପରି ଜଣେ ପେଶାଦାର କ୍ରିକେଟରଙ୍କ ଭଳି ହେଲିକପ୍ଟର ସର୍ଟ ମାରୁଛନ୍ତି । ଏତେ କମ୍ ବୟସରେ ପରିଙ୍କର ଏପରି ସାହସିକତାର କଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।