ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନାହାନ୍ତି ସର୍ଭାଇକାଲ କ୍ୟାନସରରେ ପୀଡିତ, ମୃତ୍ୟୁ ନେଇ ଗତକାଲି ଦିନସାରା ଚାଲିଥିଲା ଚର୍ଚ୍ଚା

2,044

କନକ ବ୍ୟୁରୋ : ଭିଡିଓ ବାର୍ତା ଜାରି କରି ମଡେଲ ତଥା ଅଭିନେତ୍ରୀ କହୁଛନ୍ତି ତାଙ୍କର ମୃତ୍ୟୁ ହୋଇନି । ତାଙ୍କୁ କ୍ୟାନସର ମଧ୍ୟ ହୋଇନି । ସେ ସମ୍ପୂର୍ଣ୍ଣ ଜୀବିତ ଓ ସୁସ୍ଥ ଅଛନ୍ତି । ଇନଷ୍ଟାଗ୍ରାମ ପେଜରେ ଭିଡିଓ ଜାରି କରି ତାଙ୍କ ମୃ୍ତ୍ୟୁ ଖବର ଏକ ପବଲିସିଟି ଷ୍ଟଂଟ ଥିଲା ବୋଲି କହିଛନ୍ତି ପୁନମ ପାଣ୍ଡେ । ସମାଲୋଚନା ଓ ଆକ୍ରୋଶର ଶିକାର ହେବା ପରେ ପୁନମ ସଫେଇ ମଧ୍ୟ ରଖିଛନ୍ତି । ସର୍ଭାଇକାଲ କ୍ୟାନସର ବିରୋଧରେ ସଚେତନ କରିବାକୁ ସେ ଏଭଳି ଖବର ପ୍ରଚାର କରିଥିବା କହିଛନ୍ତି । ଗୁରୁବାର ସଂସଦରେ ବଜେଟ୍ ଉପସ୍ଥାପନ ସମୟରେ ଦେଶର ୯-୧୪ ବର୍ଷ ପର୍ଯ୍ୟନ୍ତ ଝିଅଙ୍କୁ ମାଗଣାରେ ସର୍ଭାଇକାଲ କ୍ୟାନସର ନିରୋଧୀ ଟୀକା ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ଆଉ ଏହି ଘୋଷଣା ହେବାର ଦିନ ପରେ ନିଜ ମୃତ୍ୟୁକୁ ନେଇ ମିଛ ଖବର ପ୍ରଚାର କରିଥିଲେ ପୁନମ୍ ।

ମନୋଭାବନା ଆଘାତ ପାଇଁ ପ୍ରଶଂସକଙ୍କଠୁ କ୍ଷମା ମଧ୍ୟ ମାଗିଛନ୍ତି ପୁନମ । ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ । ଏହି ଖବର ଦିନ ତମାମ ଚର୍ଚ୍ଚା ସାଉଁଟିଥିଲା, ସୋସିଆଲ ମିଡିଆରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଥିଲା । କିଏ ଦୁଖ ପ୍ରକାଶ କରିଥିଲେ ଆଉ କିଏ ସମବେଦନା ଜଣାଇଥିଲେ । ଖବର ଆସିଥିଲା କ୍ୟାନସରରେ ପୀଡିତ ହେବା ପରେ ଅଭିନେତ୍ରୀଙ୍କ ପରଲୋକ ହୋଇଛି । ସର୍ଭାଇକାଲ କ୍ୟାନସରରେ ପୁନମଙ୍କ ମୃତ୍ୟୁ ଖବର ନିଅାଁ ପରି ବ୍ୟାପିଥିଲା । ସେପଟେ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ନଆସିବା, ୩ଦିନର ପୂର୍ବର ପୁନମଙ୍କ ପାର୍ଟି ନାଇଟର ଭିଡଓ ପ୍ରଶଂସକଙ୍କ ମଧ୍ୟରେ ଦ୍ୱନ୍ଦ ବଢ଼ାଇଥିଲା । ତେବେ ୨୪ଘଂଟା ନୁପୁରୁଣୁ ଅଭିନେତ୍ରୀ ଭିଡିଓ ବୟାନ ଜାରି କରି ସେ ସୁସ୍ଥ ତଥା ଜୀବିତ ଥିବା କହିବାଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।