ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ । ସର୍ଭିକାଲ କ୍ୟାନସରରେ ଥିଲେ ପିଡ଼ିତ, ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କ ମୃତ୍ୟୁ

533

କନକ ବ୍ୟୁରୋ : ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ବଲିଉଡରେ ବିବାଦରେ ରହୁଥିବା ପୁନମ୍ ପାଣ୍ଡେଙ୍କ ଏଭଳି ହଠାତ୍ ପରଲୋକ ଖବର ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ୩୨ ବର୍ଷୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ ସର୍ଭାଇକାଲ କ୍ୟାନସରରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଗୁରୁବାର ରାତିରେ ତାଙ୍କର ପରଲୋକ ହୋଇଥିବା ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ ତାଙ୍କ ମ୍ୟାନେଜର । ପୁନମଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ୍ ଆକାଉଂଟ୍ରେ ତାଙ୍କ ମ୍ୟାନେଜର ପୋଷ୍ଟ କରି ଲେଖିଛନ୍ତି ଯେ,- ଆଜି ସକାଳ ଆମ ସମସ୍ତଙ୍କ ପାଇଁ ବେଶ କଷ୍ଟଦାୟକ । ଆମେ ଦୁଃଖର ସହିତ ଜଣାଉଛୁ ଯେ, ସର୍ଭାଇକାଲ କ୍ୟାନସରରେ ପୁନମଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ପୁନମଙ୍କ ସମ୍ପର୍କରେ ଆସିଛନ୍ତି, ସେମାନେ ପୁନମଙ୍କ ଦୟା ଓ ପ୍ରେମ ଦେଖିଛନ୍ତି । ଏହି ଦୁଃଖର ସମୟରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ କାମନା କରୁଛୁ ।

ବଲିଉଡରେ ନିଜ ବୋଲ୍ଡ ଲୁକ୍ ପାଇଁ ଜଣାଯାଆନ୍ତି ପୁନମ୍ ପାଣ୍ଡେ । ବୋଲ୍ଡ ଅନ୍ଦାଜରେ ଫଟୋସୁଟ୍ ଓ ଭିଡିଓ କରି ଲାଇମ୍ ଲାଇଟକୁ ଆସିଥିଲେ ପୁନମ୍ । ବଲିଉଡ୍ ସିନେମାରେ ଖୁବ୍ କମ୍ ନଜର ଆସିଛନ୍ତି ମାତ୍ର ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ଢେର୍ ଅଧିକ । ୧ ମାର୍ଚ୍ଚ, ୧୯୯୧ରେ ଦିଲ୍ଲୀରେ ପୁନମଙ୍କ ଜନ୍ମ ହୋଇଥିଲା । ସେ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ କିଛି ବଲିଉଡ୍ ସିନେମାରେ ବି ନଜର ଆସିଥିଲେ ପୁନମ୍ । ନଶା, ଜିଏସ୍ଟି-ଗଲତି ସିର୍ଫ ତୁମହାରି, ଦ ଜର୍ଣ୍ଣି ଅଫ୍ କର୍ମା, ଭଳି ସିନେମାରେ ପୁନମ୍ ପାଣ୍ଡେଙ୍କ ଅଭିନୟ ଦେଖିବାକୁ ମିଳିଛି । ଏହାସହ ରିଆଲିଟି ଶୋ ଲକ୍ ଅପ୍ ସିଜିନ୍ – ୱାନରେ ମଧ୍ୟ ଜଣେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ପୁନମ୍ । ଏହି ଶୋ ପୁନମ୍ ଜିତି ନଥିଲେ ବି ଏଥିରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଏହାସହ ଖତରୋ କେ ଖିଲାଡି ସିଜିନ୍ ଫୋରରେ ମଧ୍ୟ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ପୁନମ୍ । ୨୦୧୧ରେ ଭାରତ ବିଶ୍ୱକପ ଜିତିଲେ ସେ ଉଲଗ୍ନ ହୋଇଯିବେ ବୋଲି ଏକ ଭିଡିଓ ମ୍ୟାସେଜ ଜାରି କରି କହିଥିଲେ ଯାହାକୁ ନେଇ ଅନେକ ବାଦବିବାଦ ଦେଖାଦେଇଥିଲା । ଗତକିଛି ଦିନ ହେବ ସେ ଉତରପ୍ରଦେଶରେ ନିଜ ପୈତୃକ ବାସଭବନରେ ରହୁଥିଲେ । ସେଠାରେ ହିଁ ତାଙ୍କର ଚିକିତ୍ସା ଚାଲିଥିଲା । ଏବଂ ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି ।

ସର୍ଭାଇକାଲ କ୍ୟାନସର ବିଶ୍ୱରରେ ୪ର୍ଥ ମାରାତ୍ମକ କର୍କଟ ରୋଗ । ଭାରତରେ ପ୍ରତ୍ୟେକ ବର୍ଷ ସର୍ଭାଇକାଲ କ୍ୟାନସରରେ ୮୦ ହଜାର ମାମଲା ସାମ୍ନାକୁ ଆସିଥାଏ । ପ୍ରାୟ ୩୫ ହଜାର ମହିଳାଙ୍କ ମୃତ୍ୟୁ ପ୍ରତି ବର୍ଷ ସର୍ଭାଇକାଲ କ୍ୟାନସରରେ ହୋଇଥାଏ । ଫଳରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସର୍ଭାଇକାଲ କ୍ୟାନସରକୁ ନେଇ ପ୍ରଥମ ସ୍ୱଦେଶୀ ଟୀକା ଆଣିଛି ସିରମ୍ ଇଂନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଆଉ ଏବେ ସର୍ଭିକାଲ କ୍ୟାନ୍ସରରୁ ସୁରକ୍ଷା ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୯ରୁ ୧୪ ବର୍ଷର ଝିଅଙ୍କ ପାଇଁ ମାଗଣାରେ ଟୀକାକରଣ ପାଇଁ ମଧ୍ୟ ଘୋଷଣା ହୋଇଛି । ସୋସିଆଲ ମିଡିଆ ସେନସେସନ ଭାବେ ବେଶ ଜଣାଶୁଣା ପୁନମ ପାଣ୍ଡେ ସର୍ଭାଇକାଲ କ୍ୟାନସରରେ ମୃତ୍ୟୁବରଣ କରିବା ଖବର ସଭିଁଙ୍କୁ ଚକିତ କରିଛି ।