ଓଡ଼ିଶାରେ ହେବ ପୁଲ୍ ଟେଷ୍ଟିଂ । କମ୍ ସମୟରେ ହୋଇପାରିବ ଅଧିକ ପରୀକ୍ଷା, ହ୍ରାସ ପାଇବ ଖର୍ଚ୍ଚ । ଜାଣନ୍ତୁ ଏହା ବାବଦରେ ଟିକିନିକି ତଥ୍ୟ ।

631

କନକ ବ୍ୟୁରୋ : କରୋନା ସ୍ଥିତିର ମୁକାବିଲା ପାଇଁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ଆପଣାଇଛି ନୂଆ ବାଟ । ହଟସ୍ପଟ୍ ବା ଅଧିକ ପ୍ରଭାବିତ ଅଞ୍ଚଳରେ ଏଣିକି ପୁଲ ଟେଷ୍ଟ ବା କମ୍ ସମୟରେ ଅଧିକ ଲୋକଙ୍କ ପରୀକ୍ଷା କରାଯାଇ ପାରିବ । ବିଶେଷକରି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ହଟସ୍ପଟ୍ ଅଂଚଳରେ ଏହି ପୁଲ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଓଡ଼ିଶାରେ ହେବ ପୁଲ୍ ଟେଷ୍ଟିଂ । କମ୍ ସଂକ୍ରମଣ ଅଂଚଳରେ ଗ୍ରହଣ ହେବ ଏହି ପଦ୍ଧତି ।କମ୍ ସମୟରେ ହେବ ଅଧିକ ପରୀକ୍ଷା, ହ୍ରାସ ପାଇବ ଖର୍ଚ୍ଚ । ଗୋଟିଏ ପଟେ କରୋନା ନମୂନା ପରୀକ୍ଷା କିଟର ଅଭାବ, ଅନ୍ୟପଟେ ବ୍ୟୟବହୁଳ ଓ ସମୟ ସାପେକ୍ଷ ପରୀକ୍ଷା । ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ପୁଲ ଟେଷ୍ଟିଂ ପାଇଁ ଆଡଭାଇଜରୀ ଜାରି କରିଛି ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର୍ ।

ତେବେ ପୁଲ ଟେଷ୍ଟିଂ କଣ ତାହା ଜାଣିନିଅନ୍ତୁ :
ସର୍ବାଧିକ ପାଞ୍ଚ ଜଣଙ୍କ ସ୍ୱାବ ସଂଗ୍ରହ କରି ଏକାଠି କରାଯିବ
ଏହାକୁ ଏକକ ସାମ୍ପଲ ଭାବେ ନିଆଯାଇ ପରୀକ୍ଷା କରାଯିବ
ଯଦି ଏହା ନେଗେଟିଭ୍ ଆସେ, ତେବେ ସମସ୍ତ ୫ ଜଣ କରୋନା ନେଗେଟିଭ୍ ବୋଲି ଘୋଷଣା କରାଯିବ
ଯଦି ଏହି ନମୁନା ପଜିଟିଭ୍ ଆସେ, ତେବେ ୫ ଜଣଙ୍କ ଅଲଗା ଅଲଗା ପରୀକ୍ଷା କରାଯାଇ କାହାର ପଜିଟିଭ୍ ଅଛି ଚିହ୍ନଟ କରାଯିବ

ବିଶେଷ କରି ଯେଉଁ ଅଞ୍ଚଳର ସଂକ୍ରମଣ ହାର କମ୍ ରହିଛି, ସେଠାରେ ପୁଲ ଟେଷ୍ଟିଂ ପଦ୍ଧତି ଗ୍ରହଣ କରାଯିବ । ଫଳରେ କମ ସମୟରେ ଓ କମ୍ ଖର୍ଚ୍ଚ ବା କିଟ୍ ବ୍ୟବହାର କରି ଅଧିକ ଲୋକଙ୍କ ପରୀକ୍ଷା କରିବା ସମ୍ଭବ ହେବ । ଯେଉଁ ଅଞ୍ଚଳରେ ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ସେହି ଅଞ୍ଚଳରେ ପୁଲ ଟେଷ୍ଟିଂ ବା ନମୁନା ଏକାଠି କରି ପରୀକ୍ଷା କରାଯିବ ନାହିଁ ବୋଲି ଆଇସିଏମଆର୍ ସ୍ପଷ୍ଟ କରିଛି । ଓଡ଼ିଶାରେ ସଂକ୍ରମଣ ହାର ଏକ ପ୍ରତିଶତରୁ କମ୍ ଥିବାରୁ ପୁଲି ଟେଷ୍ଟିଂ ଫଳପ୍ରଦ ହେବ ବୋଲି ବିଚାର କରାଯାଉଛି ।