ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ମୋତେ ମିଳିଥିଲା ଅଫର । ଖୁଲାସା କଲେ ବିଶ୍ୱବିଜୟୀ ଅଧିନାୟକ ରିକି ପଣ୍ଟିଂ ।

298

କନକ ବ୍ୟୁରୋ : ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ଦାୟିତ୍ୱ ନେବା ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ ବିଜୟ ହାସଲ କରିଛି । ଆଉ ଆଗକୁ ମଧ୍ୟ ଏହି ବିଜୟଧାରାରେ ବ୍ରେକ ନ ଲାଗୁ ଏହା ଚାହୁଁଛନ୍ତି ଭାରତୀୟ କ୍ରିକେଟପ୍ରେମୀ । ଦ୍ରାବିଡଙ୍କ ଦିଗଦର୍ଶନରେ ଟିମ୍ ଇଣ୍ଡିଆ ଏବେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି । ଆଉ ଏସବୁ ଭିତରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବିଶ୍ୱବିଜେତା କ୍ୟାପଟେନ ରିକି ପଣ୍ଟିଂ ମୁହଁ ଖୋଲିଛନ୍ତି । ପଣ୍ଟିଂ କହିଛନ୍ତି, ଆଇପିଏଲ ଖେଳାଯାଉଥିବା ସମୟରେ ଭାରତୀୟ ପୁରୁଷ ଟିମର ମୁଖ୍ୟ କୋଚ ପାଇଁ ମୋତେ ଅଫର ଦିଆଯାଇଥିଲା ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ରବି ଶାସ୍ତ୍ରୀ ବିଦାୟ ନେବା ପରେ ଏହି ସ୍ଥାନରେ ରିକି ପଣ୍ଟିଂଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଥିଲେ ବିସିସିଆଇର ଅଧିକାରୀ । କିନ୍ତୁ ପଣ୍ଟିଂ ଏହି ଅଫରକୁ ଗ୍ରହଣ କରିନଥିଲେ । ଆଇପିଏଲ ଫ୍ରାଞ୍ଚାଇଜ ଓ ଚ୍ୟାନେଲ-୭ ସହ ଯୋଡି ହୋଇ ରହିଥିବାରୁ ମୁଖ୍ୟ କୋଚ୍ ପଦ ଅଫରକୁ ଗ୍ରହଣ କରିନଥିବା କହିଛନ୍ତି ପଣ୍ଟିଂ । ଏହାସହ ପଣ୍ଟିଂ କହିଛନ୍ତି, ଯଦି ମୁଁ ଏହି ପ୍ରସ୍ତାବକୁ ସ୍ୱୀକାର କରିଥାନ୍ତି ତେବେ ଆଇପିଏଲ ଓ ଚ୍ୟାନେଲ-୭ ଠାରୁ ଅଲଗା ହେବାକୁ ପଡିଥାନ୍ତା । କିନ୍ତୁ ଏପରି କରିବାକୁ ମୁଁ ଚାହୁଁନଥିଲି, ଯେଉଁଥିପାଇଁ ଏହି ଅଫରକୁ ମନା କରିଥିଲି ।

ପଣ୍ଟିଂ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି । ଆଉ ପଣ୍ଟିଂଙ୍କ ପ୍ରଶିକ୍ଷଣରେ ଦିଲ୍ଲୀ ଲଗାତାର ୩ ଥର ପ୍ଲେ-ଅଫରେ ପ୍ରବେଶ କଲାଣି । ଏପରିକି ୨୦୨୦ରେ ଫାଇନାଲ ଖେଳିଛି ଦିଲ୍ଲୀ । ତେଣୁ ଦିଲ୍ଲୀ ଦଳ ମଧ୍ୟ ପଣ୍ଟିଂକୁ ସହଜରେ ଛାଡିବାକୁ ଚାହୁଁନାହିଁ ।
ଏସବୁ ଭିତରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ଦ୍ରାବିଡ ରାଜି ହୋଇଥିବା ବେଳେ ଏଭଳି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ପଣ୍ଟିଂ । ସେ କହିଛନ୍ତି, ଦ୍ରାବିଡ କିଭଳି ଏଭଳି ପ୍ରସ୍ତାବକୁ ସ୍ୱୀକାର କରିଲେ । ଭାରତୀୟ ଜୁନିୟର ଦଳ ପାଇଁ ଦ୍ରାବିଡ ଯେଉଁ ଭୂମିକାରେ ଥିଲେ ତାହାକୁ ନେଇ ବାରମ୍ବାର ଚର୍ଚ୍ଚା ହୋଇଛି । କିନ୍ତୁ ଏହି ଦାୟିତ୍ୱ ମିଳିବା ପରେ ନିଜ ପରିବାରକୁ ସମୟ ଦେବା କଷ୍ଟକର ହୋଇପଡିବ । ଏହାସତ୍ତେ୍ୱ ମଧ୍ୟ ଦ୍ରାବିଡ ମୁଖ୍ୟ କୋଚ୍ ପଦ ପାଇଁ ହଁ ଭରିଛନ୍ତି ।