କନକ ବ୍ୟୁରୋ: ସାଉଥ୍ ଫିଲ୍ମ ନିର୍ମାତା ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ୍’ର ଫାଷ୍ଟ ଲୁକ୍ ସାମ୍ନାକୁ ଆସି ସାରିଛି । ଯାହା ପରେ ଏହି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦର୍ଶକମାନେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବାବେଳେ, ଆସନ୍ତା ୩୦ ତାରିଖରେ ଏହା ସିନେମା ହଲକୁ ଆସିବାକୁ ଯାଉଛି । ତେବେ ଏହି ବିଗ୍ ବଜେଟ୍ ଫିଲ୍ମ କିନ୍ତୁ ସିନେମା ହଲକୁ ଆସିବା ପୂର୍ବରୁ ବଡ ରୋଜଗାର କରିସାରିଛି ।
‘ପୋନ୍ନିୟିନ୍ ସେଲଭନ୍’କୁ ଭାରତର ସବୁଠୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି । ରିପୋର୍ଟ ମୁତାବକ ଏହି ଫିଲ୍ମର ନିର୍ମାଣ ୫ ଶହ କୋଟି ଟଙ୍କାରେ କରାଯାଇଛି । ଖାଲି ସେତିକି ନୁହେଁ ମଲ୍ଟି ଷ୍ଟାର ଏହି ଫିଲ୍ମରେ ଚିୟାନ ବିକ୍ରମଙ୍କ ସହିତ ଐଶର୍ଯ୍ୟା ରାୟ ବଚ୍ଚନ, ତ୍ରିଶା, ଜୟମ ରବି ଓ କାର୍ଥି ମଧ୍ୟ ନଜର ଆସିବେ । ତାଙ୍କ ସହିତ ପ୍ରକାଶ ରାଜ୍, ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ପ୍ରଭୁ, ଜୟରାମ ପ୍ରମୁଖ ସପୋର୍ଟିଂ ଆକ୍ଟର ଭାବେ ଫିଲ୍ମରେ ନଜର ଆସିବେ ।
‘ପୋନ୍ନିୟିନ୍ ସେଲଭନ୍’ର ଦୁଇଟି ପାର୍ଟ ରିଲିଜ୍ ହେବାକୁ ଅଛି । ଯାହାର ପ୍ରଥମ ପାର୍ଟ ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବ । ତା ସହିତ ଦ୍ୱିତୀୟ ପାର୍ଟ ମଧ୍ୟ ଖୁବଶୀଘ୍ର ରିଲିଜ୍ ହେଇଯିବ ବୋଲି ସୂଚନା ମିଳିଛି । ତେବେ ଫିଲ୍ମର ଲୋକପ୍ରିୟତା ଦେଖି ଓଟିଟିରେ ମଧ୍ୟ ଏହାର ବେଶ ଚାହିଦା ରହିବ ବୋଲି ଅନୁମାନ କରାଯାଉଛି । ତେଣୁ ଲୋକପ୍ରିୟ ଓଟିଟି ଆପ୍ ଆମାଜନ୍ ପ୍ରାଇମ୍ ବିଶାଳ ପ୍ରାଇସରେ ଏହି ଫିଲ୍ମର ଓଟିଟି ରାଇଟ୍ସକୁ କିଣିନେଇଛି ।
ଆମାଜନ୍ ପ୍ରାଇମ୍ ‘ପୋନ୍ନିୟିନ୍ ସେଲଭନ୍’ର ଓଟିଟି ରାଇଟ୍ସକୁ ୧୨୫ କୋଟି ଟଙ୍କାରେ କିଣିନେଇଛି । ଅର୍ଥାତ ୫୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ସିନେମା ହଲକୁ ଆସିବା ପୂର୍ବରୁ ୧୨୫ କୋଟି ଟଙ୍କା ରୋଜଗାର କରିସାରିଛି । ତେବେ ଫିଲ୍ମର ଦୁଇଟି ଯାକ ପାର୍ଟର ଓଟିଟି ରାଇଟ୍ସକୁ ଆମାଜନ୍ ପ୍ରାଇମ୍ କିଣିନେଇଛି ।