କନକ ବ୍ୟୁରୋ : ଚାଷୀଙ୍କ କ୍ଷେତରେ ହସୁଛି ଡାଳିମ୍ବ ଗଛ । ଗୋଟିଏ ଗୋଟିଏ ଗଛରେ ଫଳିଛି ପେନ୍ଥା ପେନ୍ଥା ଡାଳିମ୍ବ । ଡାଳିମ୍ବ ଏକ ସ୍ୱାଦିଷ୍ଟ ଫଳ ହୋଇଥିବା ବେଳେ ଏହା ଦେହ ପାଇଁ ମଧ୍ୟ ବହୁତ ହିତକର । ପ୍ରାୟ ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି କିନ୍ତୁ ଓଡ଼଼ିଶାରେ ଖୁବ୍ କମ୍ ଲୋକ ଏହି ଚାଷ କରନ୍ତି । ଏହି ଭଳି ଏକ ଦାମିକିଆ ଫଳ ଚାଷ କରି ଭଲ ରୋଜଗାର କରିବାର ଆଶା ରଖିଛନ୍ତି ନୂଆପଡ଼ା ବୋଡ଼େନ ବ୍ଲକ ବୋଲଦା ଗାଁର ଚାଷୀ । ୩ ବର୍ଷ ତଳେ ଗାଁର ୮ଜଣ ଚାଷୀଙ୍କୁ ପରିକ୍ଷାମୂଳକ ଭାବେ ଉଦ୍ୟାନ ବିଭାଗ ପକ୍ଷରୁ ଏହି ଚାଷ ପାଇଁ ତାଲିମ ଦିଆଯାଇଥିଲା । କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ୮ଶହ ଡାଳିମ୍ବ ଚାରା ଦିଆଯାଇଥିଲା । ଯେଉଁ ଗଛରେ ଏବେ ପ୍ରଚୁର ପରିମାଣରେ ଫଳ ଆସିଛି । ଆଉ ଫଳକୁ ଦେଖି ଚାଷୀଙ୍କ ମନ ଖୁସିରେ ପୁରି ଉଠୁଛି ।
ଏବେ ଗୋଟିଏ ଗୋଟିଏ ଗଛରେ ୬୦ରୁ ୧୦୦ ଟି ଫଳ ଫଳିଛି । ଡାଳିମ୍ବର କେଜି ପିଛା ଦର ପ୍ରାୟ ୨ ଶହ ରହିଥିବାରୁ ଗଛ ପ୍ରତି ୧୫ ଶହରୁ ୧୮ ଶହ ଟଙ୍କାର ରୋଜଗାର ହେବ ବୋଲି ଚାଷୀ ଆକଳନ କରିଛନ୍ତି । ଏଥିରେ ପ୍ରତି ଚାଷୀ ବାର୍ଷିକ ଅଢେଇରୁ ତିନି ଲକ୍ଷ ରୋଜଗାର କରିବାକୁ ଲକ୍ଷ ରଖିଛନ୍ତି । ଏହା ଦେଶୀ ଓ ସ୍ୱାଦିଷ୍ଟ କିଶମର ଡାଲିମ୍ବ ହୋଇଥିବାରୁ ଜିଲ୍ଲାରେ ବେଶ ଚାହିଦା ରହିଛି । ଏଥିରୁ ଚାଷିମାନେ ଭଲ ଦ୍ୱିପଇସା ରୋଜଗାର କରି ଆର୍ଥିକ ସ୍ୱଚ୍ଛଳ ହେବାକୁ ଆଶା ବାନ୍ଧିଛନ୍ତି । ପଡିଆ ପଡ଼ିଥିବା ଚାଷ ଜମିରେ ସୁନାର ଫସଲ ଦେଖି ଚାଷୀଙ୍କ ମନ ମଧ୍ୟ ବେଶ ଖୁସି ଅଛି । ଅନ୍ୟପଟେ ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ।
ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଜମି ଦିନେ ପଡ଼ିଆ ପଡ଼ୁଥିଲା । ସେହି ଟାଙ୍ଗରା ଭୁଇଁରେ ଏବେ ଫଳିଛି ସ୍ୱାଦିଷ୍ଟ ଫଳ । ଗାଁର ଛୋଟ ଛୋଟ ଚାଷୀ ଏବେ ଲକ୍ଷପତି ହେବାର ଲକ୍ଷ୍ୟ ରଖିଛନ୍ତି । ଯାହା ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛି ।