ନବରଙ୍ଗପୁରରେ ସଫଳ ହେଉଛି ଡାଳିମ୍ବ ଚାଷ: ୩ ଏକର ଜମିରେ ଫଳିଛି ଉତ୍ତମ ମାନର ଡାଳିମ୍ବ

120

କନକ ବ୍ୟୁରୋ: ପେଷା ଥିଲା ଇଂଜିନୟର,ଇଚ୍ଛା ଥିଲା ଫାର୍ମ ହାଉସ ଟିଏ କରିବେ, ସୋସିଆଲ ମିଡିଆରୁ ପ୍ରଭାବିତ ହୋଇ,ନିଶା ସାଜିଲା ଡାଳିମ୍ବ ଚାଷ କରିବା । ଚାକିରୀରୁ ଅବସର ପରେ ତାଙ୍କ ଏହି ନିଶା ତାଙ୍କୁ ଏକ ସଫଳ ଡାଳିମ୍ବ ଚାଷୀ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଦିବାକର ବେହେରା ଆସିଷ୍ଟାଂଟ ଇଂଜିନିଅର ଚାକିରୀରୁ ଅବସର ପରେ ଡାଲିମ୍ବ ଚାଷ କରି ଏକ ସଫଳ ଚାଷୀ ହୋଇଛନ୍ତି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଡାଳିମ୍ବ ପାଇଁ ପୋଡ଼ଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଉପରେ ନିର୍ଭରଶୀଳ ହେଉଥିବା ବେଳେ ବର୍ତମାନ ଏହି ଡାଳିମ୍ବ ଚାଷ ଦ୍ୱାରା ସେହି ପୋଡ଼ଶୀ ରାଜ୍ୟ ଉପରୁ ନିର୍ଭରଶୀଳତା କମ କରି ସ୍ଥାନୀୟ ଅଂଚଳରେ ସେହି ଚାହିଦାକୁ ପୂରଣ କରିବା ସହ ଭଲ ରୋଜଗାର କରିପାରୁଛନ୍ତି ଏହାସହ ସହ ଅନ୍ୟ ଶ୍ରମିକ ମାନଙ୍କୁ ରୋଜଗାରର ଯୋଗାଇଦେଉଛନ୍ତି ।

ନବରଙ୍ଗପୁରରେ ସଫଳ ହେଉଛି ଡାଳିମ୍ବ ଚାଷ । ଜଣେ ଅବସରପ୍ରାପ୍ତ ଇଂଜିନିୟର ନିଜ ଜମିରେ ଡାଳିମ୍ବ ଚାଷ କରି ସଫଳ ହୋଇଛନ୍ତି । ନିଜର ୩ ଏକର ଜମିରେ ଫଳାଇଛନ୍ତି ଉତମ ମାନର ଡ଼ାଳିମ୍ବ । ସପ୍ତାହକୁ ଦୁଇରୁ ତିନି କ୍ୱିଂଟାଲ ଡାଳିମ୍ବ ଅମଳ ହେଉଥିବା ବେଳେ ଏହା ଭଲ ଲାଭ ମଧ୍ୟ ଦେଉଛି ।

ପିଲାଟି ଦିନରୁ କୃଷି ପ୍ରତି ଅହେତୁକ ଦୁର୍ବଳତା ଥିଲେ ମଧ୍ୟ ଚାକିରୀ ସମୟରେ ଚାଷ କରିପାରୁନଥିଲେ ଦିବାକର । ତେଣୁ ଚାକିରିରୁ ଅବସର ଗ୍ରହଣ କରିବା ପରେ କୃଷି କ୍ଷେତ୍ରକୁ ଆପଣାଇ ଥିଲେ । ତେବେ କୋରନା ସମୟରେ ଇଂଟରନେଟରୁ ଡାଳିମ୍ବ ଚାଷ ସମ୍ବନ୍ଧୀୟ ଅନେକ ଦିଗ ବିଷୟରେ ଜ୍ଞାନ ଆହରଣ କରି ଡାଲିମ୍ବ ଚାଷକୁ ଚୟନ କରିଥିଲେ । ଏଥିପାଇଁ ଗୁଜୁରାଟରୁ ଚାରା ମଗାଇ ନିଜ ଜମିରେ ଜୈବିକ ସାର ପ୍ରୟୋଗ କରି ବୁନ୍ଦା ଜଳସେଚନ ପଦ୍ଧତିରେ ଏକ ହଜାରରୁ ଅଧିକ ଡାଳିମ୍ବ ଚାରା ଲଗାଇଛନ୍ତି ।

ଡାଳିମ୍ବ ଫଳଟି ପୂଜା ପାର୍ବଣରେ ବହୁତ ବ୍ୟବହାର ହେବା ସହ ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଫଳ । ତେଣୁ ବଜାରରେ ଏହାର ଚାହିଦା ବହୁତ ରହିଛି । କିନ୍ତୁ ସ୍ଥାନୀୟ ଅଂଚଳରେ ଏହି ଚାଷ ହେଉନଥିବାରୁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି ବ୍ୟବସାୟୀ । ତେଣୁ କିଛି ନୂଆ କରିବାର ପ୍ରୟାସ ନେଇ ଡାଳିମ୍ବ ଚାଷ ପ୍ରତି ତାଙ୍କ ଆଗ୍ରହ ବଢିଥିଲା । ନବରଙ୍ଗପୁରର ଅନୁକୂଳ ଜଳବାୟୁ ଓ ଉପଯୁକ୍ତ ବାତାବରଣ ଥିବା ଉପଲବ୍ଧି କରି ଡାଳିମ୍ବ ଚାଷରେ ମନୋନିବେଶ କରିଥିଲେ । ଅମଳ ହେଉଥିବା ଡାଳିମ୍ବକୁ ନବରଙ୍ଗପୁର ସହିତ ପଡୋଶୀ କୋରାପୁଟର ବ୍ୟବସାୟୀ କିଣିି ନେଉଛନ୍ତି । କୌଣସି ରାସାୟନିକ ସାରର ପ୍ରୟୋଗ ହେଉ ନଥିବାରୁ ଏହି ଡାଲିମ୍ବର ଚାହିଦା ବଜାରରେ ଭଲ ରହିଛି । ଡାଳିମ୍ବରୁ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି । ଜମିରେ ଦୈନିକ ୮ ଜଣ ଶ୍ରମିକ କାମ କରୁଛନ୍ତି । ଘର ପାଖରେ କାମ ମିଳିଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।