କନକ ବ୍ୟୁରୋ : ସରକାର ନିୟମ କଲେ ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ସହରରେ ପଲିଥିନ୍‌ ବ୍ୟବହାର ହେବନି । ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଲା । ଜଙ୍ଗଲ ଓ ପରିବେଶ ବିଭାଗ ଏନେଇ ବିଜ୍ଞପ୍ତି ଜାରି କଲା । ବ୍ୟବସାୟୀମାନଙ୍କ ପାଖରେ ଆଗରୁ ଗଚ୍ଛିତ ଥିବା ପଲିଥିନ୍‌କୁ ସାରିବାକୁ ‌ଗୋଟିଏ ମାସ ସମୟ ବି ଦିଆଗଲା । ଲକ୍ଷ୍ୟ ଥିଲା, ମାସକ ଭିତରେ ପଲିଥିନ୍‌ର ବ୍ୟବହାର ନେଇ ଲୋକେ ସଚେତନ ହେବେ । ବ୍ୟବସାୟୀ ବି ପଲିଥିନ୍‌ ବ୍ୟବହାର କରିବେନି ।

Advertisment

publive-imageକିନ୍ତୁ ନିୟମକୁ କେହି ବି ମାନିବାକୁ ନାରାଜ । ଅନ୍ୟ ୫ଟି ସହର କଥା ଛାଡ଼ନ୍ତୁ, ଖୋଦ୍ ଭୁବନେଶ୍ବରରେ ଏବେ ବେଧଡ଼କ ପଲିଥିନ୍ ବ୍ୟବହାର ଚାଲିଛି । ଆମିଷ ବଜାରଠାରୁ ଆରମ୍ଭ କରି ପରିବା ହାଟ ପର୍ଯ୍ୟନ୍ତ, ସବୁଠି ପଲିଥିନ୍‌ମୟ । ରୋକ୍‌ ଲଗାଇବାକୁ ଜାନୁଆରି ମାସ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଥିଲା । ପଲିଥିନ୍‌ ଜବତ କରାଯିବା ସହ କିଛି ବ୍ୟବସାୟୀଙ୍କଠାରୁ ଫାଇନ୍‌ ଆଦାୟ ହୋଇଥିଲା । ତେବେ ୪ ମାସ ହେଲା ବିଏମ୍‌ସିର ଚଢ଼ଉ ବନ୍ଦ । ଗୋଟିଏ ପଟେ ବାତ୍ୟା‌ ଯୋଗୁଁ ସହର ସାରା ସବୁଜ ଅବର୍ଜନା ଗଦା ହୋଇଥିବା ବେଳେ ଅନ୍ୟପଟେ ସହର ସାରା ପଲିଥିନ୍‌ର ପାହାଡ଼ । ସ୍ଥିତି ଏମିତି ହେଲାଣି ଯେ ପଲିଥିନ୍‌ ବନ୍ଦ କରିବାକୁ ଆହୁରି ବି ବର୍ଷାଧିକ ସମୟ ଲାଗିଯିବ ।

publive-imageସହରରେ ପଲିଥିନ୍‌ ବ୍ୟବହାରର ସ୍ଥିତିକୁ ଦେଖି ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି । ସେମାନଙ୍କ କହିବା କଥା ହେଉଛି ଯେ ପଲିଥିନ୍‌ ବ୍ୟବହାର ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ମାଟିର ଉର୍ବରତା ନଷ୍ଟ ହେଉଛି । ଯାହାକି ଭବିଷ୍ୟତ ଲାଗି ବିପଦ ଆଣିବ । ଭୟଙ୍କର ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏବେଠାରୁ ସତର୍କ ହେବାକୁ ପଡ଼ିବ । ପଲିଥିନ୍ କଟକଣା ବାଟବଣା ହେବା ପଛରେ ଲୋକେ ଯେତିକି ଦାୟୀ, ସରକାର ତାହାଠାରୁ ଅଧିକ ଦାୟୀ । ୬ଟି ସହରରେ ପଲିଥିନ୍ ସିନା ନିଷେଧ କରାଗଲା ‌ହେଲେ ବଜାରରେ ଯେପରି ପଲିଥିନ୍‌ ନମିଳିବ ସେଦିଗରେ କିଛି ବି ପଦକ୍ଷେପ ନେଲେନି । ପଲିଥିନ୍ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ଉପରେ ବି ଚଢ଼ଉ କରାଗଲା ନାହିଁ । ଫଳ‌ରେ ବେଧଡ଼କ ପଲିଥିନ୍‌ ଉତ୍ପାଦନ ହେଉଛି । ବଜାରକୁ ବି ଛଡ଼ାଯାଉଛି । ତେଣୁ ବ୍ୟବହାର କରିବାରେ କିଛି ବି ଅସୁବିଧା ହେଉନି । ଯଦି ଏବେଠାରୁ କଠୋର ନିଷ୍ପତ୍ତି ନିଆ ନଯାଏ ‌ତେବେ ପଲିଥିନ୍‌ ବ୍ୟବହାର ଉପରେ ରୋକ ଲଗାଇବା ସମ୍ଭବପର ହେବ ନାହିଁ ।

publive-imageସବୁଠାରୁ ବଡ଼ କଥା ହେଉଛି ଯେ ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟାବସାୟିକ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପଲିଥିନ୍‌ର ବ୍ୟବହାର ବଢ଼ିଚାଲିଛି । ରାସ୍ତାପାର୍ଶ୍ବରେ ପଲିଥିନ୍‌ର ପାହାଡ଼ ଦେଖିବାକୁ ମିଳିଛି । ପଲିଥିନ୍‌ଗୁଡ଼ିକ ଡ୍ରେନ୍‌ ଭିତରେ ପଶିବାରୁ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ରାସ୍ତାରେ ଭାସିଲାଣି । ଗତକାଲି ରାତିରେ ଭୁବନେଶ୍ବରରେ ହୋଇଥିବା କାଳବୈଶାଖୀ ବର୍ଷାରେ କେତେକ ସ୍ଥାନରେ ଡ୍ରେନ୍‌ ପାଣି ଲହଡ଼ି ଭାଙ୍ଗିଛି । ଆଗକୁ ମୌସୁମୀ ଆସୁଥିବାରୁ ସ୍ଥିତି ସାଂଘାତିକ ହେବ । ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ଏକପ୍ରକାର ଥୟ ।

ଚାରି ମାସ ହେଲା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ବନ୍ଦ ହେବା ନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ କଟକଣା ଜାରି କରାଯାଇଥିବା ୬ଟି ସହରରେ ଖୁବ୍‌ଶୀଘ୍ର ପୁଣିଥରେ ଚଢ଼ଉ କରାଯିବ । ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ସମ୍ଭବ ହେଉ ନଥିଲା । ଏହାପରେ ବାତ୍ୟା ଫନି ଯୋଗୁଁ ମଧ୍ୟ ପଲିଥିନ୍‌ କଟକଣାର ତଦାରଖ କରାଯାଇ ପାରି ନଥିଲା । ପୁଣି ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର କରୁଥିବା ବ୍ୟବସାୟୀ ବା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।