ନିମାପଡା ବଳଙ୍ଗା ବ୍ରାହ୍ମଣ ସାହିର ବୃଦ୍ଧ ରଘୁନାଥ ସାହୁଙ୍କ କ୍ଷୋଭ । ନକଲି ୱାର୍କଅଡର ଧରାଇ ଠକିଦେଲେ ନେତା

39

କନକ ବ୍ୟୁରୋ : ନକଲି ୱାର୍କଅଡର ଧରାଇ ଠକିଦେଲେ ନେତା । ୧୫ ବର୍ଷ ହେଲା ଚାତକ ପରି ଚାହିଁବସିଛନ୍ତି ଘର ଖଣ୍ଡିଏ ପାଇଁ । ଏହିଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ନିମାପଡା ବଳଙ୍ଗା ବ୍ରାହ୍ମଣ ସାହିର ବୃଦ୍ଧ ରଘୁନାଥ ସାହୁ । ରଘୁନାଥଙ୍କୁ ଘର ମିଳିଛି କହି ୱାର୍କ ଅର୍ଡର ଦିଆଯାଇଥିଲା । ଭୋଟ୍ ସରିଗଲା ପରେ ସମସ୍ତେ ଭୁଲିଗଲେ ବୃଦ୍ଧଙ୍କୁ । ଖାଲି ସେତିକିି ନୁହେଁ ଦିଆଯାଇଥିବା ୱାର୍କଅର୍ଡର ନକଲି ବୋଲି ଜଣାପଡିଥିଲା । ବୃଦ୍ଧଙ୍କୁ ଘର ଲୋଭ ଦେଖାଇ ଭୋଟ୍ ହାତେଇ ନେଇଥିବା ଅଭିଯୋଗ କରି ଘର ଦୁଆର ମୁହଁରେ ପୋଷ୍ଟର ମାରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ମୁହଁରେ ଗୋଟିଏ ପ୍ରଶ୍ନ ମୁଁ ଭୋଟ୍ ଦେବି କାହାକୁ? ନିର୍ବାଚନ ସମୟରେ ରଘୁନାଥଙ୍କୁ ଘର ମିଳିବ କୁହାଯାଇଥିଲା । ଘର କାମ ଆରମ୍ଭ କରିଲେ ସମସ୍ତ ଟଙ୍କା ମିଳିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ହେଲେ ନିର୍ବାଚନ ସରିଯିବା ପରେ ସମସ୍ତେ ଭୁଲିଯାଇଥିଲେ ତାଙ୍କୁ । ଘର ଖଣ୍ଡିଏ ପାଇଁ ଦୀର୍ଘ ୧୫ ବର୍ଷ ହେଲା ଅପେକ୍ଷା କରି ଏବେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି ।

ପ୍ରତିଥର ନିର୍ବାଚନ ସମୟରେ ମାଳ ମାଳ ପ୍ରତିଶ୍ରୁତି ଭିତରେ ହଜିଯାଉଛନ୍ତି ହିତାଧିକାରୀ । ହେଲେ ନିର୍ବାଚନ ସରିଗଲେ ରଘୁନାଥଙ୍କ ଭଳି ହିତାଧିକାରୀଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଧାର କରଜ କରି ଘର ତିଆରି ଆରମ୍ଭ କରିଥିବା ବୃଦ୍ଧ ଜଣକ ନା ପାଇଲେ ଘର ନା ଋଣ ଟଙ୍କା ସୁଝିପାରୁଛନ୍ତି । ନିରାଶ ହୋଇ ପ୍ରତିବାଦ ଆରମ୍ଭ କରିଛନ୍ତି । ସେପଟେ ପୁଣିଥରେ ଚିରାଚରିତ ଢଙ୍ଗରେ ମିଳିଛି ପ୍ରତିଶ୍ରୁତି ।

ଧାରକରଜ କରି ଋଣରେ ବୁଡି ରହିଥିବା ବୃଦ୍ଧ ରଘୁନାଥଙ୍କୁ ଖୁବଶୀଘ୍ର ଘର ସହ ଅନ୍ୟ ସହାୟତା ଯୋଗାଯାଇପାରିଲେ ତାଙ୍କୁ ଉଚିତ୍ ନ୍ୟାୟ ମିଳିପାରିବ ।