ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଆଯିବ ଭାରତ ରତ୍ନ ସମ୍ମାନ । ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଲେ ସୂଚନା

155

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ । ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ମୋଦି ପୋଷ୍ଟ କରିବା ସହିତ ଫୋନ ଯୋଗେ ଆଡଭାନୀଙ୍କୁ ଶୁଭେଛା ଜଣାଇଛନ୍ତି । ‘ଆଡ଼ଭାନୀ ଜୀ ବର୍ତମାନ ସମୟର ସବୁଠାରୁ ସମ୍ମାନନୀୟ ରାଷ୍ଟ୍ରନେତା’ । ‘ଦେଶର ବିକାଶ ପାଇଁ ତାଙ୍କ ଯୋଗଦାନ ଅତୁଳନୀୟ’ । ‘ସେ ତୃଣମୂଳ ସ୍ତରରୁ ଉପ-ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଦେଶର ସେବା କରିଛନ୍ତି’ । ‘ତାଙ୍କ ସଂସଦୀୟ ଅଭିଜ୍ଞତା ଉଦାହରଣ ହୋଇ ରହିବ’ ବୋଲି ପ୍ରଧାନମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଭାରତରତ୍ନ ମିଳିବା ନେଇ ଖବର ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି ଆଡ଼ଭାନୀ । ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ମିଠା ବଂଟାଯାଇ ଉତ୍ସବ ମନାଯାଇଛି ।

୮ ନଭେମ୍ବର ୧୯୨୭ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଲାଲକୃଷ୍ଣ ଆଡ଼ଭାନୀ । ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ କରାଚୀରୁ ଦିଲ୍ଲୀ ଚାଲି ଆସିଥିଲେ ଆଡ଼ଭାନୀଙ୍କ ପରିବାର । ୧୯୪୨ରୁ ଆରମ୍ଭ ହୋଇଥିଲା ଆଡ଼ଭାନୀଙ୍କ ରାଜନୈତିକ ଯାତ୍ରା ।

ଆଡ଼ଭାନୀଙ୍କ ରାଜନୈତିକ ଯାତ୍ରା
– ୧୯୪୨ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଯୋଡ଼ି ହୋଇଥିଲେ ଆଡ଼ଭାନୀ
– ୧୯୭୩ରୁ ୧୯୭୭ ପର୍ଯ୍ୟନ୍ତ ଜନସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ତୁଲାଇ୍ଥିଲେ ଦାୟିତ୍ୱ
– ମୋରାରଜୀ ଦେଶାଇଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ ଆଡ଼ଭାନୀ
– ୧୯୮୬-୯୧, ୧୯୯୩-୯୮ ଏବଂ ୨୦୦୪-୨୦୦୫ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛନ୍ତି ଆଡ଼ଭାନୀ
– ୧୯୮୯ରେ ଦିଲ୍ଲୀର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଆଡ଼ଭାନୀ
– ୧୯୮୯-୯୧ରେ ଲୋକସଭାରେ ଆଡ଼ଭାନୀ ଥିଲେ ବିରୋଧୀ ଦଳ ନେତା
– ଗାନ୍ଧୀନଗରର ଲୋକସଭା ଆସନରୁ ସାଂସଦ ଭାବେ ସେ ୬ଥର ନିର୍ବାଚିତ ହୋଇଛନ୍ତି
– ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୨୦୦୨-୦୪ ପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀ ରହିଛନ୍ତି ଆଡ଼ଭାନୀ
– ୨୦୧୫ରେ ପଦ୍ମ ବିଭୁଷଣ ସମ୍ମାନରେ ଆଡ଼ଭାନୀଙ୍କୁ ସମ୍ମାନୀତ କରାଯାଇଥିଲା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଲାକୃଷ୍ଣ ଆଡ଼ଭାନୀଙ୍କୁ ଭାରତରତ୍ନ ମିଳିବା ନେଇ ଘୋଷଣା ପରେ ଦଳମତ ନିର୍ବିଶେଷରେ ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିଛି ।