ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ପୋଲିସ ସହ ଖଣ୍ଡଯୁଦ୍ଧ ଘଟଣାରେ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ ଗିରଫ, ଲାଗିଛି ସଙ୍ଗୀନ ଦଫା ।

1,991

କନକ ବ୍ୟୁରୋ : ରାଜରାସ୍ତାରେ ଖଣ୍ଡଯୁଦ୍ଧ । ଲୋୟର ପିଏମଜିରେ ପୋଲିସ ସହ ଖଣ୍ଡଯୁଦ୍ଧ ଘଟଣାରେ ୨୨ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ । ସେହିଭଳି ପୋଲିସକୁ ଲହୁଲୁହାରଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ ଜାରି ରହିଛି । ଏସିପିଙ୍କ ନେତୃତ୍ୱରେ ୪ ଥାନାଧିକାରୀଙ୍କୁ ନେଇ ଗଠିତ ହେଲା ଟିମ । ଅଭ୍ୟାସଗତ ଅପରାଧିଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ବାର୍ଡର ଛାପା । ମାଷ୍ଟରକ୍ୟାଣ୍ଟିନ, ଲୋୟର ପିଏମଜି ଛକର ସିସିଟିଭି ଚାଲିଛି ଯାଞ୍ଚ ।ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ପବ୍ଲିକ ପ୍ରପର୍ଟି ଡ୍ୟାମେଜ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ କର୍ମୀଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ତଦନ୍ତ ପରିସରକୁ ଆସିବେ ନେତା । ଆଜି ଲୋୟର ପିଏମଜିରେ ରକ୍ତମୁଖା ହୋଇଥିଲେ ବିଜେପି କର୍ମୀ । ଢେଲା ପଥର ମାଡ଼ କରି ୨୧ ପୋଲିସ ଅଧିକାରୀଙ୍କୁ ରକ୍ତାକ୍ତ କରିଥିଲେ । ଗୁରୁତର ଅବସ୍ଥାରେ ୪ ପୋଲିସ ଅଧିକାରୀଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଆହତ ପୋଲିସଙ୍କୁ ଭେଟିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଡିଜିପି ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଡିଜିପିଙ୍କ ସହ ସିପି, ଟୁଇନସିଟିର ଦୁଇ ଡିସିପି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦବେଳେ ଦେଖିବାକୁ ମିଳିଛି ଭୟଙ୍କର ସ୍ଥିତି । ଉତ୍ୟକ୍ତ ବିଜେପି କର୍ମୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିବାବେଳେ, ପୋଲିସ ଉପରକୁ ସେମାନେ ପଥର ଓ ଅଣ୍ଡା ମାଡ କରିଛନ୍ତି । ଏଥିରେ ୨୧ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।