କଟକ ସହରରେ ବଢିବାରେ ଲାଗିଛି ପ୍ରଦୂଷଣ। ଚିନ୍ତା ବଢାଇଲାଣି ପ୍ଲାଷ୍ଟିକ, ଅଳିଆ ଆବର୍ଜନା।

179

କନକ ବ୍ୟୁରୋ: ସବୁଠି ପରିବେଶକୁ ନେଇ ଚିନ୍ତା । କେମିତି ଆମ ପୁରୁଣା ପୃଥିବୀ ଫେରିଆସିବ, କେମିତି ଏହା ସବୁଜ ସୁନ୍ଦର ଦେଖାଯିବ ତାକୁ ନେଇ ସମସ୍ତେ ଚିନ୍ତିତ । ହେଲେ ପରିବେଶ ପ୍ରଦୂଷଣ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସହରର ଗଳିକନ୍ଦିରୁ ନେଇ ନଦୀ ନାଳ ସବୁଠି ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି ।

ବର୍ତ୍ତମାନ ସମୟରେ ବିଶେଷ କରି ଐତିହାସିକ କଟକ ସହରରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । କେବେ ସବୁଜ ସୁନ୍ଦର ଥିବା କଟକ ସହର ଆଜି ପ୍ରଦୂଷିତ ହୋଇଚାଲିଛି । ସହର ସାରା କୁଢ କୁଢ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଲୋକଙ୍କ ଚିନ୍ତା ବଢାଇଚାଲିଛି । ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ଉପେରେ କଟକଣା ଲାଗିଥିଲେ ବି ଏହା କିନ୍ତୁ ରୋକାଯାଇପାରୁନାହିଁ । ଆପଣ ଯେଉଁଆଡେ ଆଖି ବୁଲାଇବେ ସେଠି ପଡିଛି ଅଳିଆ ଆଉ ଆବର୍ଜନା । କେବଳ ଏତିକି ନୁହେଁ ବର୍ଷା ଦିନ ଆସିବା ମାତ୍ରେ ଏହି ଅଳିଆ ଆବର୍ଜନା ପାଣିରେ ମିଶି ନାଳ ନର୍ଦ୍ଦମା ଦେଇ ନଦୀରେ ଯାଇ ମିଶୁଛି । ଯାହା ଫଳରେ ଏହା ଲୋକଙ୍କ ପାଇଁ ସମସ୍ୟା ପାଲଟୁଛି ।

କଟକ ସହରରେ ଲୋକେ କାଠଯୋଡି ନଦୀ ଉପରେ ନିର୍ଭର କରୁଥିବା ବେଳେ ସହର ନାଳ ନର୍ଦ୍ଦମାର ପାଣି ଏଠି ମିଶୁଛି । ଏହାକୁ ଲୋକେ ବ୍ୟବହାର କରିବା ପରେ ଅନେକ ରୋଗରମଧ୍ୟ ସାମ୍ନା କରୁଛନ୍ତି । ବେଆଇନ ଭାବେ ହୋଇଥିବା ଡମ୍ପିଂ ୟାର୍ଡକୁ ବାରଣ କରାଯାଇଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଇନଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ପ୍ରଦୂଷଣ ଚିନ୍ତା ବଢାଇଥିବା ବେଳେ ସହରର ଗଛ ସଂଖ୍ୟା ହ୍ରାସ ପାଇଛି ଏଥିପାଇଁ ପଥଚାରୀ ମଧ୍ୟ ଅନେକ ସମସ୍ୟା ଭୋଗୁଛନ୍ତି । ତେବେ ଏନେଇ ମେୟର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଆମେ ଏ ବାବଦରେ ଅବଗତ ଅଛୁ ଏବଂ ପଦକ୍ଷେପ ନେଉଛୁ ।

ଗୋଟିଏ ପଟେ ସହରର ଜନସଂଖ୍ୟା ବଢିବାରେ ଲାଗିଛି । ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଦୂଷଣରସ୍ତର ବଢିବଢି ଚାଲିଛି । ତେବେ ମହାନଗର ନିଗମ ପ୍ରଦୂଷଣ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । କେବଳ ମହାନଗର ନିଗମ ନୁହେଁ ସାଧାରଣ ଲୋକେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।