କନକ ବ୍ୟୁରୋ : ପାଉଁଶ ପାହାଡ଼ ତଳେ ଭୁବନେଶ୍ୱର। କଳିଂଗନଗର-ମଦନପୁର ନୂଆ ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଛି ପରିତ୍ୟକ୍ତ କୋଇଲାରୁ ନିର୍ଗତ ପାଉଁଶ। ଯାହା ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ଲୋକ ବି ହଇରାଣ ହେଉଛନ୍ତି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା।
ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ମଟରସାଇକେଲ ଗଲେ ଯେମିତି ଲାଗୁଛି ଏଠି ଧୂଳିଝଡ ସୃଷ୍ଚି ହୋଇଛି। ରାଜଧାନୀର ଛାତି ଉପରେ ଚାଲିଛି ବେଧଡକ ବେଆଇନ କାମ। ବିକାଶର ଦ୍ୱାହି ଦେଇ ପରିବେଶକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି କିଛି ଲାଭଖୋର ବ୍ୟବସାୟୀ।
ରାଜଧାନୀରେ ପାଉଁଶ ଗାଡିର ଲମ୍ବା ଧାଡି। ପ୍ରତିଦିନ ଆସୁଛି ଶହ ଶହ ଟ୍ରକ। ସହରର କଳିଙ୍ଗନଗର-ମଦନପୁର ନୂଆ ରାସ୍ତା ନିର୍ମାଣରେ ବବହୃତ ହେଉଛି ପରିତ୍ୟକ୍ତ କୋଇଲାରୁ ନିର୍ଗତ ପାଉଁଶ। ବେଦାନ୍ତ, ଜିନ୍ଦଲ, ତାଲଚେର ଏନଟିପିସି,ଟାଟା ପ୍ରଭୃତି କମ୍ପାନୀରୁ ବୋହି ଅଣାଯାଉଥିବା ଶହ ଶହ ଟ୍ରକ ପାଉଁଶରେ ଖାଲ ପୋତା ଯାଉଛି। ଏତେମାତ୍ରାରେ ପାଉଁଶର ବ୍ୟବହାର ଫଳରେ ସ୍ଥାନୀୟ ଅଂଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଚି ହେଉଛି।
କଳିଙ୍ଗନଗରରୁ ମଦନପୁର ଭାୟା ପାଇକରାପୁର ରାସ୍ତା ସହର ଭିତର ଦେଇ ନିର୍ମାଣ ଚାଲିଛି। କିଛି ବଡବଡ ବିଲଡର ସଂସ୍ଥା ଏହି ଅଂଚଳରେ ନିଜ ନିଜର ପ୍ରୋଜେକ୍ଟ କରିବାକୁ ଲକ୍ଷ୍ୟ ରଖିଥିବାରୁ ତତ୍କାଳୀନ ରାଜ୍ୟ ସରକାର ଏହି ରାସ୍ତା ନିର୍ମାଣକୁ ପ୍ରାଧାନ୍ୟ ଦେଇଥିବା ଆଲୋଚନା ହେଉଛି। ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ ବସିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ।
ଦିନକୁ ଦିନ ପରିବେଶର ଅବକ୍ଷୟ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ପରିବେଶ ସଂରକ୍ଷଣ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ହେଲେ ବିକାଶ ନାମରେ ପରିବେଶର ବିନାଶକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।