ପ୍ରଦୂଷଣ ବିଷ ବଳୟରେ କଳିଙ୍ଗନଗର । କଳକାରଖାନା ଧୂଆଁ ଓ ଧୂଳିରେ ଢାଙ୍କି ହୋଇଗଲାଣି ଶିଳ୍ପାଂଚଳର ଗଛପତ୍ର, ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ବଢୁଛି ଚର୍ମ ରୋଗ ।

253

କନକ ବ୍ୟୁରୋ : ପ୍ରଦୂଷଣ ବିଷ ବଳୟରେ କଳିଙ୍ଗନଗର । କଳକାରଖାନାର ଧୂଆଁ ଓ ଧୂଳିରେ ଢାଙ୍କି ହୋଇଯାଇଛି ଶିଳ୍ପାଞ୍ଚଳର ଗଛପତ୍ର । ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ଲୋକେ ଚର୍ମ ରୋଗରେ ପଡୁଥିବା ବେଳେ ଚିନ୍ତା ବଢିଯାଇଛି । ନିକଟରେ ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ଗ୍ରୀନପିସ୍ ପକ୍ଷରୁ ପ୍ରକାଶିତ ଦେଶର ୧୦୦ ପ୍ରଦୂଷିତ ସହରର ତାଲିକାରେ ରହିଛି ଓଡିଶାର ୭ଟି ସହର । ଆଉ ସେହି ତାଲିକାରେ ରହିଛି ଯାଜପୁରର କଳିଙ୍ଗନଗର ।

ଗଛ ପତ୍ରକୁ ଢାଙ୍କି ଦେଇଛି ପ୍ରଦୂଷଣ । ସୁବଜ ପତ୍ରକୁ ଧୂସର କରିଛି ଧୂଳି । ପ୍ରଦୂଷଣର ବିଷ ବଳୟରେ ଘାଂଟି ହେଉଛି ଜୀବନ । ଆମେ କହୁଛୁ ଯାଜପୁର କଳିଙ୍ଗନଗର ଶିଳ୍ପାଂଚଳର କଥା । କଳିଙ୍ଗନଗରରେ ଅଛି ୧୨ରୁ ଅଧିକ ଛୋଟବଡ଼ ଇସ୍ପାତ ପ୍ରକଳ୍ପ । ଏଠାରେ କାମ କରୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଲୋକ କଳିଙ୍ଗନଗରରେ ବସବାସ କରୁଛନ୍ତି । ହେଲେ କଳକାରଖାନାରୁ ବାହାରୁଥିବା ଧୂଳିଧୂଆଁ ଓ କାରଖାନାର ପରିବହନ କାର୍ଯ୍ୟରେ ଲାଗିଥିବା ଗାଡି ଚଳାଚଳ ଯୋଗୁଁ ମାତ୍ରାଧିକ ପ୍ରଦୂଷଣ ହେଉଛି । ବାୟୁ ସାଙ୍ଗକୁ ଜଳ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାରର ଚର୍ମରୋଗରେ ପଡୁଥିବା ଅଭିଯୋଗ ହୋଇଛି ।

ପରିବେଶ ପ୍ରଦୂଷଣ ଉପରେ ସର୍ଭେ କରୁଥିବା ସଂସ୍ଥା ଗ୍ରୀନପିସ୍ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଦେଶର ୧୦୦ ବାୟୁ ପ୍ରଦୂଷଣ ସହର ତାଲିକାରେ ଅଛି ଓଡିଶାର ୭ଟି ସହର । ସେଥିମଧ୍ୟରୁ ପାରାଦୀପ ଓ କଳିଙ୍ଗନଗର ଆଗ ପଛ ହୋଇ ରହିଛି । ମୋଟ ୨୮୭ ସହରକୁ ନେଇ ଗ୍ରୀନପିସ୍ ପକ୍ଷରୁ ସର୍ଭେ କରାଯାଇଥିଲା । ଏମିତି ରିପୋର୍ଟ ସାମ୍ନାକୁ ଆସିବା ପରେ କଳିଙ୍ଗନଗର ଅଂଚଳକୁ କ୍ରିଟିକାଲ ପଲ୍ୟୁସନ୍ ଜୋନ ଘୋଷଣା କରିବା ସହ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବା ଜରୁରଛ୍ମେବାଲି ପରିବେଶପ୍ରେମୀ କହିଛନ୍ତି । ସେପଟେ ପ୍ରଦୂଷଣ ରୋକିବା ପାଇଁ ଏକ ଟିମ୍ ଗଠନ କରାଯାଇ ରୀତିମତ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି ଜିଲ୍ଲା ନିୟନ୍ତ୍ରଣ ଅଧିକାରୀ । ଦିନକୁ ଦିନ ଶିଳ୍ପାଂଚଳର ଅଭିବୃଦ୍ଧି ହେବା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବଢି ଚାଲିଛି । ଅଂଚଳର ସାମଗ୍ରୀକ ବିକାଶ ପାଇଁ ଶିଳ୍ପକୁ ସ୍ୱାଗତ କରିଥିବା ଲୋକେ ଏବେ କଳିଙ୍ଗନଗର ଛାଡିବା ପାଇଁ ଚିନ୍ତା କରୁଛନ୍ତି ।