କନକ ବ୍ୟୁରୋ : ରାଜ୍ୟର ୧୧୦ଟି ପୌରାଞ୍ଚଳରେ ହେବ ଭୋଟ । ଏନେଇ ଆସି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ରାଜନୈତିକ ଦଳ ସହ ଆଲୋଚନା ପରେ ଏନେତ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହି ବୈଠକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଲୋଚନା ହୋଇଛି । ମତଦାନ ସମୟ ନେଇ କେହି କୌଣସି ପ୍ରସ୍ତାବ ଦେଇନାହାନ୍ତି । ଇଭିଏମରେ ଭୋଟଗ୍ରହଣ ହେବ ବୋଲି ରାଜନୈତିକ ଦଳକୁ ଅବଗତ କରାଗଲା । ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ ।

Advertisment

ଏହି ଆଲୋଚନା ବେଳେ ବିରୋଧୀ ଦଳ ପୌର ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭୋଟର ତାଲିକା ପ୍ରସ୍ତୁତି ସମୟକୁ ନେଇ ବିରୋଧୀଙ୍କ ଅସନ୍ତୋଷ । ସୀମା ପୁନଃ ନିର୍ଦ୍ଧାରଣ ବ୍ୟବସ୍ଥାକୁ ବିରୋଧୀ ଦଳ ବିରୋଧ କରିଛନ୍ତି । ତେବେ ଚୂଡାନ୍ତ ଭୋଟର ତାଲିକା ଆସନ୍ତା ୨୪ ତାରିଖ ସୁଦ୍ଧା ପ୍ରକାଶ ପାଇବ । ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ଭୋଟର ତାଲିକା ହସ୍ତାନ୍ତର କରାଯିବ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷରେ ପାଦ ଦେଇଥିବା ଭୋଟରଙ୍କୁ  ଚୁଡାନ୍ତ ତାଲିକାରେ ସାମିଲ କରାଯାଇଥିବା କହିଛନ୍ତି ନିର୍ବାଚନ କମିଶନ । ତେବେ ଚଳିତଥର ପ୍ରାର୍ଥୀଙ୍କ ସତ୍ୟପାଠ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

ତେବେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ୧୦୭ଟି ପୌର ପରିଷଦ ଓ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପୌର ନିଗମର ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ୧୦୭ଟି ପୌର ପରିଷଦର ମୋଟ ୱାର୍ଡ ସଂଖ୍ୟା ୧୭୬୩ ଓ ୩ଟି ପୌର ନିଗମର ୱାର୍ଡ ସଂଖ୍ୟା ୧୬୮ । ଏହା ବ୍ୟତୀତ ୧୦୭ଟି ପୌର ପରିଷଦର ଚ୍ୟାୟାରମ୍ୟାନ୍ ଓ ୩ଟି ପୌର ନିଗମର ମେୟର ପଦର ସଂରକ୍ଷଣ ଅଧିସୂଚୀତ କରିଛନ୍ତି ।