ରାତି ପାହିଲେ ପଡ଼ିବ ଭୋଟ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

84

କନକ ବ୍ୟୁରୋ: ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଆସନ୍ତାକାଲି ମତଦାନ ଗ୍ରହଣ ସହ ଅପ୍ରେଲରୁ ଆରମ୍ଭ ହୋଇଥିବା ନିର୍ବାଚନ ମାହୋଲରେ ଆପାତତଃ ଯବନିକା ପଡିବ । ନିର୍ବାଚନ ପାଇଁ ଇଭିଏମ ଓ ଭିଭିପାଟ ଧରି ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । କାଲି ସକାଳେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ପଡିବ । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଇଭିଏମ ଓ ଭିଭିପାଟ ଧରି ବୁଥ ମୁହାଁ ପୋଲିଂ ପାର୍ଟି । ଆସନ୍ତାକାଲି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୂୟରଭଞ୍ଜ ଲୋକସଭା ଆସନ ସହ ସେହି ସଂସଦୀୟ କ୍ଷେତ୍ରର ୪୨ ବିଧାନସଭା ଆସନରେ ଭୋଟ ହେବ ।

ପ୍ରଚଣ୍ଡ ତାତି ଓ ଅସହ୍ୟ ଗୁଳଗୁଳି ଭିତରେ ମତଦାନର ଚୂଡାନ୍ତ ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବୁଥ ଅଭିମୁଖେ ପୋଲିଂ ପାର୍ଟି
ରାତି ପାହିଲେ ପଡିବ ଭୋଟ୍
ଜିଲ୍ଲା ମୁଖ୍ୟାଳୟରେ ଇଭିଏମ ଓ ଭିଭିପାଟ ବଂଟନ ପାଇଁ ହୋଇଥିବା କେନ୍ଦ୍ରରେ ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କ ଭିଡ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଇଭିଏମ ବଂଟନ ପରେ ଯେ ଯାହା ବୁଥକୁ ବାହାରି ଯାଉଛନ୍ତି ।

ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ହେଲେ ଖରାକୁ ଖାତିର ନକରି ଇଭିଏମକୁ ଦୁଇ ଜଣ କର୍ମଚାରୀ ଟେକି ଟେକି ଗାଡି ଯାଏଁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ପଡିବ । ତେଣୁ ସନ୍ଧ୍ୟା ସୁଦ୍ଧା ମତଦାନକେନ୍ଦ୍ରରେ ପହଂଚିବାକୁ ତରତର ହେଉଛନ୍ତି ପୋଲିଂପାର୍ଟି ।

ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ସଂପର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ପ୍ରେସମିଟରେ କହିଛନ୍ତି, ମତଦାନ ହେବାକୁଥିବା ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୧୦ ହଜାର, ୮୮୨ ବୁଥରେ ମତଦାନ ଗ୍ରହଣ କରାଯିବ । ସେଥିମଧ୍ୟରୁ
୨୧ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି
୩୬ ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି
୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ପ୍ଲାଟୁନ ଓଡ଼ିଶା ଆର୍ମଡ ପୋଲିସ
ବୁଥ ତଦାରଖ କରିବେ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି

ନିର୍ବାଚନ ଦାୟିତ୍ୱରେ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ୍ କାମ କରିବ ।