୨୪ ସିଂହାସନ, ଅନ୍ତିମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ଜୁନ ୧ରେ ୮ ରାଜ୍ୟର ୫୭ ଆସନରେ ହେବ ମତଦାନ

197

କନକ ବ୍ୟୁରୋ: ୨୪ ମହାଲଢେଇର ଅନ୍ତିମ ପର୍ଯ୍ୟାୟ ପାଖେଇ ଆସିଛି । ଜୁନ ୧ରେ ପଡିବ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍ । ଓଡିଶା ସମେତ ଦେଶର ୭ ରାଜ୍ୟର ୫୭ ଆସନରେ ହେବ ମତଦାନ । ଫୋକସରେ ରହିଛି ମୋଦୀଙ୍କ ଆସନ ବାରଣାସୀ । ଶେଷ ଦିନରେ ଶାସକ ଓ ବିରୋଧୀ ଦଳର ଶୀର୍ଷ ନେତାଙ୍କ ଧୁଆଁଧାର ପ୍ରଚାର ।

୨୪ ସିଂହାସନର ଅନ୍ତିମ ପର୍ଯ୍ୟାୟ ପାଇଁ ଶେଷ ହୋଇଛି ପ୍ରଚାର । ଜୁନ ୧ରେ ପଡିବ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍ । ୮ ରାଜ୍ୟର ୫୭ ଆସନରେ ହେବ ମତଦାନ । ୟୁପି, ବିହାର, ହିମାଚଳ ପ୍ରଦେଶ, ପଂଜାବ. ପଶ୍ଚିମବଙ୍ଗ. ଓଡିଶା, ଝାଡଖଣ୍ଡ ଓ ଚଣ୍ଡିଗଡରେ ପଡିବ ଭୋଟ୍ । ମୋଟ୍ ୯୦୪ ପ୍ରାର୍ଥୀ ରହିଛନ୍ତି ମଇଦାନରେ । ସକାଳ ୭ରୁ ସନ୍ଧ୍ୟା ୬ ମଧ୍ୟରେ ମତଦାନର ସମୟ । ଏହି ପର୍ଯ୍ୟାୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥୀ ହୋଇଥିବା ବାରଣାସୀରେ ଭୋଟ୍ ପଡିବ । ମୋଦୀଙ୍କ ବିପକ୍ଷରେ କଂଗ୍ରେସରୁ ଲଢୁଛନ୍ତି ବରିଷ୍ଠ ନେତା ଅଜୟ ରାୟ । ଶେଷ ଦିନରେ ଧୁଆଁଧାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପଂଜାବରୁ ବିରୋଧୀଙ୍କ ଉପରେ ଗର୍ଜିଥିଲେ ମୋଦି । ସେପଟେ ରାହୁଲ ଗାନ୍ଧୀ ପ୍ରଚାର ଶେଷ ଦିନରେ ଓଡିଶାର ସିମୁଳିଆରେ ମୋଦି ସରକାର ଉପରେ ଜୋରଦାର ଆଟାକ୍ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ହ୍ୟାଟ୍ରିକ ମାରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଇଣ୍ଡିଆ ମେଂଟ ପାଇଁ କର ବା ମର ସ୍ଥିତି । ମୋଟ୍ ୫୭ ଆସନରୁ ୧୭ ଟି ଆସନରେ ରହିଛି ସବୁ ଗଣିତ । ୨୦୧୯ ନିର୍ବାଚନରେ ୫୭ ଆସନରୁ ବିଜେପି ୨୫, କଂଗ୍ରେସ ୮, ଟିଏମସି ୯ ଓ ବିଜେଡିକୁ ୪ ଆସନ ମିଳିଥିଲା । ଗତ ନିର୍ବାଚନରେ ଏଥିରୁ ୬ଟି ଆସନରେ ଭୋଟ୍ ବ୍ୟବଧାନ ମାତ୍ର ୨ ପ୍ରତିଶତରୁ କମ ରହିଥିଲା । ଅନ୍ୟ ୧୧ ଟି ଆସନରେ ଭୋଟର୍ ପ୍ରତିଥର ବଦଳାନ୍ତି ମତାମତ । ଏହି ଆସନ ଗୁଡିକ ପଂଜାବ, ବିହାର, ୟୁପି ଓ ଓଡିଶା ଭଳି ରାଜ୍ୟରେ ରହିଛି । ସେହିପରି ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟରେ ବିଜେପିର ଭୋଟ୍ ସେୟାର ଅଧିକ ରହିଥିଲା । କଂଗ୍ରେସର ଭୋଟ୍ ସେୟାର ୧୮ ଟି ଆସନରେ ମାତ୍ର ୧୦ ପ୍ରତିଶତରୁ କମ ରହିଥିଲା । କିନ୍ତୁ ଚଳିତ ଥର ସ୍ଥିତି ଭିନ୍ନ ରହିବା ନେଇ ଆକଳନ କରିଛନ୍ତି ରାଜନୈତିକ ରଣନୀତିକାର ମାନେ ।