ଆସନ୍ତା କାଲି ଭୋଟ ଗଣତି । ସକାଳ ୮ ଟାରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ଭୋଟ ଗଣତି ହେବ

137

କନକ ବ୍ୟୁରୋ : ରାଜ୍ୟର ଦୁଇ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ଆସନ୍ତା କାଲି ହେବ । ଏନେଇ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲ୍ଲା ପ୍ରଶାସନ ପ୍ରକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି । ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରାୀ ସୁଶୀଲ ଲୋହାନୀ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି କି ଆସନ୍ତାକାଲି ସକାଳ ୮ ଟାରୁ ଉଭୟ ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ଆରମ୍ଭ ହେବ । ବାଲେଶ୍ୱର ପାଇଁ ବାଲେଶ୍ୱର କଲେକକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁର ଏସଭିଏମ୍ କଲେଜରେ ଭୋଟ ଗଣନା କରାଯିବ ।

ଏହି ଭୋଟ ଗଣତି ବେଳେ ସମ୍ପୁର୍ଣ୍ଣଭାବେ କୋଭିଡ ଗାଇଡ ଲାଇନ ପାଳନ କରାଯିବ । ଗଣତି ବେଳେ ପ୍ରତ୍ୟେକ ଥର ଗୋଟିଏ ରୁମରେ ୧୪ ଟି ଟେବୁଲର ବ୍ୟବସ୍ଥା ହୋଇଥିବା ବେଳେ କୋଭଡ କଟକଣା ପାଇଁ ଏବେ ଗୋଟିଏ ରୁମରେ ମାତ୍ର ୭ଟି ଟେବୁଲ ରହିବ । ସେହିଭଳି ୩ ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ଏହାର ଦାୟିତ୍ୱରେ ୬୭ ଜଣ ଆରଓ ଓ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ପାଇଁ ୩ ଟି ଏଆରଓ ଓ ତିର୍ତ୍ତୋଲ ପାଇଁ ୨ ଟି ଏଆରଓ ରହିଛି ।

ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବାପରେ ସାଢେ ୮ ଟାରୁ ଇଭିଏମ ଭୋଟ ଗଣତି କରାଯିବ । କରୋନା ପାଇଁ ସାମାଜିକ ଦୂରତା, ମାସ୍କ, ଫେଓ ସିଲଡ୍, ସାନିଟାଇଜର, ୱାୟାରଲେସ୍ ବ୍ୟାରିକେଟ ଓ ଟ୍ରାଂସପାରେଣ୍ଟ ପିଲିଥିନ ସିଟ୍ ର ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକ ଫଳା ଫଳ ଦେଖିପାରିବା ପାଇଁ କ୍ୟାମେରା ଓ ଟିଭିର ବ୍ୟବସ୍ଥା କରାଯାଇଛି । ଏସବୁ ସରିବା ପରେ ଭିଭିପାଟ୍ ମେସିନ ମାଧ୍ୟମରେ ଗ୍ରହଣ କରାଯାଇଥିବା ଭୋଟର ଗଣତି ହେବ । ଇସିଆଇ ୱେବସାଇଟରେ ପ୍ରତି ରାଉଣ୍ଡ ଗଣତି ପରେ ଫଳା ଫଳ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଓ ସୁରକ୍ଷାବାହୀନିକୁ ଭୋଟ ଗଣତି କେନ୍ଦ୍ର ନିକଟରେ ନିୟୋଜିତ କରାଯିବ ।