ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟ । ରୁଦ୍ର, ଆଶ୍ରିତ ଓ ବିଶ୍ୱକେଶନଙ୍କ ମଧ୍ୟରେ ଟକ୍କର

125

କନକ ବ୍ୟୁରୋ : ଆଜି ପିପିଲି ଉପନିର୍ବାଚନ । ଉପନିର୍ବାଚନରେ ବିଧାୟକ ବାଛିବେ ପିପିଲିବାସୀ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ବିଧାୟକ ପଦ ଖାଲି ପଡ଼ିଥିଲା । ଏଥିପାଇଁ ଉପନିର୍ବାଚନ ହେଉଥିବା ବେଳେ ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିର୍ବାଚନୀ ମୈଦାନରେ ଅଛନ୍ତି । ପିପିଲିର ୨ଲକ୍ଷ ୨୯ ହଜାର ଭୋଟର ତାଂକର ମତାଧିକାର ସାବ୍ୟସ୍ଥ କରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଉପନିର୍ବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନର ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛି । ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ୱେଦନଶୀଳ ତାଲିକାରେ ରହିଛି ।

୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ସେହିପରି ପୋଲିଂ ବୁଥଗୁଡିକରେ ସିସିଟି କ୍ୟାମେରା ଲଗାଯାଇଛି । ନିର୍ବାଚନକୁ ଶୃଂଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍ ଟିମ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ କେନ୍ଦ୍ର ଓ ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରୀକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି । ଭୋଟରଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମତଦାତା ଭୋଟ ଦେବା ପୂର୍ବରୁ ସେମାନଙ୍କୁ ଗ୍ଲୋବ୍ସ ଦିଆଯିବ ଓ ଭୋଟ୍ ଦେବା ପରେ ମେସିନର ସାନିଟାଇଜ୍ କରାଯିବ । ତାପରେ ଆଉ ଜଣେ ଭୋଟର ଭୋଟ ଦେବେ । ସେହିପରି ଯେଉଁମାନଙ୍କ ନିକଟରେ କରୋନାର କିଛି ଲକ୍ଷଣ ଥିବ ସେମାନେ ଶେଷ ମୂହୂର୍ତରେ ଭୋଟ ଦେବାକୁ ନିଷ୍ପତି ହୋଇଛି ।