କନକ ବ୍ୟୁରୋ: ରାତି ପାହିଲେ ଓଡିଶାରେ ପଡି଼ବ ଭୋଟ୍ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ରହିଥିବା ବେଳେ ୨୮ ବିଧାନସଭାରେ ପଡିବ ଭୋଟ୍ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟରେ ହେବ ପ୍ରମୁଖ ଲଢ଼େଇ । ମତଦାନ ପୂର୍ବରୁ ତିନି ରାଜନୈତିକ ଦଳର ନେତା ଭୋଟ୍ ହାତେଇବାକୁ ଖୁବ ଝାଳ ବୁହାଇଛନ୍ତି । ଏବେ ଅପେକ୍ଷା ୬୨ ଲକ୍ଷ ଭୋଟର କାହାକୁ ବାଛିବେ ନେତା ।
- ରାତି ପାହିଲେ ଭୋଟ
- ୪ ଲୋକସଭା କ୍ଷେତ୍ରରେ ନେତା ବାଛିବେ ଜନତା
ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ୪ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ତେବେ ପ୍ରଚାର ମଇଦାନରେ କିଛି ଦିନ ଧରି ଜୋରଦାର କସରତ ପରେ କାଲି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ୬୨ ଲକ୍ଷରୁ ଅଧିକ ଭୋଟର ବାଛିବେ ୪ ସାଂସଦ ଓ ୨୮ ବିଧାୟକ । କିଏ ବାଜି ମାରିବେ, କାହାକୁ ନିରାଶ ହେବାକୁ ପଡିବ, ତା’ର ହିସାବ ନିକାଶ ହୋଇଯିବ ।
୨୪ ସିଂହାସନ ହାତେଇବା ପାଇଁ ପ୍ରଚାର ମଇଦାନରେ ଏଥର ବଳ କଷାକଷି ତୀବ୍ର ହୋଇଥିବା ବେଳେ ନିଜ ଦଳର ସଫଳତା ନେଇ ଆଗୁଆ ଆକଳନ କରିଛନ୍ତି ନେତା । ୨୮ ଆସନରୁ ବିଜେଡି ୨୪ ଆସନରେ ବାଜିମାତ ପାଇଁ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ୍ । ଏପଟେ ୨୦ରୁ ଅଧିକ ଆସନ ଜିତିବ ବୋଲି ବିଜେପି ଆଶା ରଖିଥିବା ବେଳେ କଂଗ୍ରେସ ମଧ୍ୟ ଆଶାତୀତ ସଫଳତା ହାସଲ କରିବେ ବୋଲି ଦାବି କରିଛି ।
- ବଡ଼ ନେତାଙ୍କ ଅଗ୍ନି ପରୀକ୍ଷା
- ଭୋଟ ପୂର୍ବରୁ ଛାତି ଧଡ଼ଧଡ଼
କେବଳ ଦଳ ନୁହେଁ, ହେଭିୱେଟ ନେତାଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଦୀପ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ଶରତ ପଟ୍ଟନାୟକ. ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ବିଜୟ ପାଇଲେ ପତିଆରା ବଢିବ, ପରାଜିତ ହେଲେ ରାଜନୈତିକ କ୍ୟାରିୟର ଉପରେ ବଡ଼ ପ୍ରଭାବ ପଡିବ ବୋଲି କୁହାଯାଉଛି ।
୨୦୧୯ ନିର୍ବାଚନ ଫଳାଫଳ
- ବ୍ରହ୍ମପୁର ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା ବିଜେଡି
- କଳାହାଣ୍ଡି ଲୋକସଭା କବଜା କରିଥିଲା ବିଜେପି
- କୋରାପୁଟ ଲୋକସଭା ହାତେଇଥିଲେ କଂଗ୍ରେସ
- ୨୮ ବିଧାନସଭାରୁ ବିଜେଡି-୨୦, ବିଜେପି-୪, କଂଗ୍ରେସ-୩ ଜିତିଥିଲେ
- ଗୋଟିଏ ଆସନ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/12-10.jpg)