ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ : ୪୫ଟି ଆସନରେ ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

57

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କଡା ସୁରକ୍ଷା ମଧ୍ୟରେ ମତଦାନ ଚାଲିଥିବାବେଳେ କୋଭିଡ କଟକଣାକୁ କଡାକଡି ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ମୋଟ୍ ୧ ହଜାର ୭୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହ ୧୫ ହଜାର ୭୯୦ ରାଜ୍ୟ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ପଂଚମ ପର୍ଯ୍ୟାୟରେ ମତଦାନ ହେଉଥିବା ୪୫ଟି ଆସନରୁ ୨୦୧୬ରେ ୩୨ଟି ହାତେଇଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି । କଂଗ୍ରେସ ୫ ଓ ବାମଦଳ ୫ଟି ଆସନରେ ବିଜୟୀ ହୋଇଥିଲେ । ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିଲା ।

ଏହି ଅବସରରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନଙ୍କୁ ନିବେଦନ କରିଛନ୍ତି କି, ସେମାନେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ। ସେ ଲେଖିଛନ୍ତି, ଆଜି ଚାଲିଥିବା ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଦେବାକୁ ଥିବା ଭୋଟର୍‌ମାନେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଅନୁରୋଧ କରୁଛି ।