ଭବାନୀପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ : ମମତା ଓ ପ୍ରିୟଙ୍କା ମଧ୍ୟରେ କଡ଼ା ମୁକାବିଲା

ସୁରକ୍ଷା ଦାୟିତ୍ୱରେ ୩୫ ଅର୍ଦ୍ଧ ସାମରିକ କମ୍ପାନୀ

193

କନକ ବ୍ୟୁରୋ : ଦକ୍ଷିଣ କୋଲକାତାର ଭାବନୀପୁର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡା ସୁରକ୍ଷା ମଧ୍ୟରେ ଭୋଟର ଆସି ମତଦାନ କରୁଛନ୍ତି । ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ ପାଲଟିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱେଲ । ମମତା ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ ପ୍ରାର୍ଥୀ ଦେଇନି । ମୋଟ୍ ତିନି ଲକ୍ଷ ଭୋଟର ରହିଛନ୍ତି ଏହି ବିଧାନସଭା ଆସନରେ । ମୋଟ୍ ୩୫ଟି ଅର୍ଦ୍ଧସାମରିକ କମ୍ପାନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ ପିଛା ତିନୋଟି କମ୍ପାନୀ ନିୟୋଜିତ ରହିଛନ୍ତି ।

୨୭୦ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବରେ ଚିହ୍ନଟ କରାଯାଇଛି । ମମତା ଯେଉଁ ବୁଥକୁ ଯାଇ ମତଦାନ କରିବେ ତାହା ଏକ ହାଇସ୍କୁଲ ରହିଛି । ଏହି ବୁଥକୁ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରିଛନ୍ତି ନିର୍ବାଚନ ଅଧିକାରୀ । ବିଧାନସଭା ନିର୍ବାଚନ ବେଳେ ମମତାଙ୍କ ଏହି ଆସନରୁ ସୁବ୍ରତ ବକ୍ସି ଟିଏମସି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ମମତା ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ହାରିଯାଇଥିଲେ । ନିର୍ବାଚନରେ ହାରିଯିବା ପରେ ଭବାନୀପୁର ବିଧାନସଭା ଆସନରୁ ବିଧାୟକ ସୁବ୍ରତ ବକ୍ସି ଓହରିଯାଇଥିଲେ । ଆଜିର ଦିନ ମମତାଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ମମତା ଯଦି ଏହି ଉପନିର୍ବାଚନରେ ହାରିଯିବେ ତା’ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବା ସୁନିଶ୍ଚିତ ହୋଇଯିବ ।