ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ । ରାହୁଲଙ୍କୁ ଭେଟିଲେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର

147

କନକ ବ୍ୟୁରୋ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ମଙ୍ଗଳବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ରାହୁଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହୋଇଛି । କହିରଖୁ କି ପଞ୍ଜାବ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁଙ୍କ ଟ୍ୱିଟ୍ ପରେ ଭେଟଘାଟ ହୋଇଥିବାରୁ ଏହାର ଗୁରୁତ୍ୱ ବଢିଛି ।

ସୂଚନା ଥାଉକି ଆଜି ସିଦ୍ଧୁ ଏକ ଟ୍ୱିଟ ମାଧ୍ୟମରେ କହିଥିଲେ କି ପଞ୍ଜାବର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଯାହା ରହିଛି ତାହାକୁ ଆମ୍ ଆଦମୀ ପାର୍ଟି ସ୍ୱୀକୃତି ଦେଇଛି । ଏହି ଟ୍ୱିଟପରେ ଆପ୍ ବିଧାୟକ ଭଗବନ୍ତ ସିଂ ମାନ ଟ୍ୱିଟ କରି ପ୍ରଶଂସା କରିବା ପରେ କଂଗ୍ରେସ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ବି ଚଳିତ ମାସ ଭେଟି ସାରିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବିରୋଧୀଦଳ ନେତା ମାନଙ୍କ ସହ ପ୍ରଶାନ୍ତଙ୍କର ଏଭଳି ବୈଠକ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପ୍ରସ୍ତୁତି ଭଳି ମନେ ହେଉଛି ।

 ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ରହିଥିବାରୁ ପୁଣି ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ ପଞ୍ଜାବ କଂଗ୍ରେସ କାମ କରିପାରେ । ଏହାସହ ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କନ୍ଦଳକୁ ସମାଧାନ କରିବାକୁ ରାହୁଲ ଗାନ୍ଧୀ ପ୍ରଶାନ୍ତଙ୍କୁ ଦାୟିତ୍ୱ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ସିଦ୍ଧୁ ଓ ଅମରିନ୍ଦରସିଂଙ୍କ ମଧ୍ୟରେ ଥିବା ବିବାଦ ମେଣ୍ଟାଇବାକୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ଗଠନ କରାଯାଇଥିବା ୩ ଜଣିଆ କମିଟି ଯେ କନ୍ଦଳ ମେଣ୍ଟାଇବାରେ ସକ୍ଷମ ନୁହନ୍ତି ତାହା ଆଜି ସିଦ୍ଧୁଙ୍କ ଟ୍ୱିଟ୍ ପରେ ସ୍ପଷ୍ଟ ହୋଇଛି ।