କହ୍ନେୟାଙ୍କୁ ଭୋଟ୍ ଦେବାକୁ ଯାଇଥିଲେ ମହିଳା । ବିଜେପି ପ୍ରାର୍ଥୀ ଗିରିରାଜଙ୍କ ବଟନ ଦବାଇଦେଲେ ପୋଲିଂ ଅଫିସର ।

450

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ଆଉ ଏହାରି ଭିତରେ ବିହାରର ବେଗୁସରାଏରେ ମତଦାନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ଅଫିସରମାନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ମୁଁ ଇଭିଏମ୍ ମେସିନରେ କହ୍ନେୟା କୁମାରଙ୍କୁ ଭୋଟ୍ ଦେବାକୁ ଚାହୁଁଥିଲି । କିନ୍ତୁ ଜୋରଜବରଦସ୍ତ ମୋତେ ଗିରିରାଜଙ୍କୁ ଭୋଟ୍ ଦେବାକୁ ବାଧ୍ୟ କରାଯାଇଥିଲା । ଏହା ସହ ଗିରିରାଜଙ୍କ ବଟନ ଦବାଇ ଦେଇଥିଲେ ପୋଲିଂ ବୁଥ୍ ଦାୟିତ୍ୱରେ ଥିବା ଅଫିସର । ମହିଳାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ବେଗୁସରାଏରୁ କହ୍ନେୟା କୁମାରଙ୍କ ବିପକ୍ଷରେ ଲଢ଼ୁଛନ୍ତି ଗିରିରାଜ ସିଂହ । ଦୁହେଁ ବେଗୁସରାଏରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଜଣା ପଡ଼ିଛି । ଗିରିରାଜ ପୂର୍ବରୁ ନବାଦରୁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ବେଗୁସରାଏରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଛି । ତେବେ ଭାଇରାଲ ହୋଇଥିବା ଭିଡିଓ ଭବନଗାଓ୍ଵା ପଞ୍ଚାୟତର ଏକ ପୋଲିଂ ବୁଥର ବୋଲି ଜଣା ପଡ଼ିଥିବା ବେଳେ ଭିଡିଓର ସତ୍ୟତାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ ।