କନକ ବ୍ୟୁରୋ : ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ।
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ପରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ପାଣିପାଗ ଯୋଗୁଁ ଉପନିର୍ବାଚନ ବାତିଲ ହେବା କଥାକୁ ନିନ୍ଦା କରିଛି ଦଳ । ବିଜେପି ଚାପି ପକାଇ ନିର୍ବାଚନ ସ୍ଥଗିତ କରୁଛି କି ବୋଲି ପ୍ରଶ୍ନ କରିଛି ଦଳ । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି । ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ଅଭିଯୋଗ କରିଛି ବିଜେଡି ।
ପଞ୍ଚାୟତ ଉପନିର୍ବାଚନ ଘୋଷଣା ହେଲା ତାରିଖ । ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ, ୫ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେବ । କେନ୍ଦ୍ରାପଡ଼ାର ଡେରାବିଶ, ରାଜନଗର, କେନ୍ଦୁଝରର ଘଟଗାଁ, ସଦର କେନ୍ଦୁଝର, ସମ୍ବଲପୁରର ଧନକଉଡାରେ ଦଳୀୟ ଚିହ୍ନରେ ଜିଲ୍ଲାପରିଷଦ ଉପନିର୍ବାଚନ ହେବ । ବିଧାନସଭା ନିର୍ବାଚନ ପରେ ପଞ୍ଚାୟତ ଉପନିର୍ବାଚନ ହେଉଥିବାରୁ ୩ ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା ହୋଇଛି । ସରପଞ୍ଚ ଓ ୱାର୍ଡ ସଭ୍ୟ ଦଳୀୟ ଭିତ୍ତିରେ ଲଢାଯାଉନଥିଲେ ବି ପ୍ରମୁଖ ଦଳର ସମର୍ଥନ ରହିବ । ତେବେ ୫ ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ ହେଉଥିବାରୁ ବିଜେପି, ବିଜେଡି ଓ କଂଗ୍ରେସ, କାହାକୁ ଭରସା କରୁଛନ୍ତି ଜନତା ମିଳିବ ସଂକେତ ।
୨୦ଜିଲ୍ଲାର ୪୩ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ବିଶେଷକରି ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳ, କେନ୍ଦ୍ରାପଡା, ମୟୁରଭଞ୍ଜର ସର୍ବାଧିକ ପଂଚାୟତରେ ଭୋଟ ହେବ । ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ଧର୍ମଶାଳା ବ୍ଲକର ଦୁଇଟି ପଞ୍ଚାୟତରେ ଭୋଟ ପଡ଼ିବ । ଗଞ୍ଜାମର ଜଗନ୍ନାଥପ୍ରସାଦ, କବିସୂର୍ଯ୍ୟନଗର, ଶେରଗଡ଼ ଓ ସୋରଡା ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନରେ ବିଜେଡିର ଦବଦବା ରହିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ବିଜେଡି ପୋଛି ହୋଇଯିବା ପରେ ଏବେ ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।
କେନ୍ଦ୍ରାପଡା, ବଲାଙ୍ଗୀର ,କନ୍ଧମାଳ ଓ ମୟୁରଭଞ୍ଜରେ ବି ଅଳ୍ପ ବହୁତେ ସମାନ ସ୍ଥିତି । ତେଣୁ ବିଜେଡିକୁ ମାତ୍ ଦେଇ ବିଜେପି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରିବ । ପଞ୍ଚାୟତ ଉପନିର୍ବାଚନ ସ୍ଥାନୀୟ ବିଧାୟକଙ୍କ ଲୋକପ୍ରିୟତାର ପ୍ରମାଣ ଦେବ । ସେମାନଙ୍କ ଉପରେ ଦାୟିତ୍ୱ ରହିବ ଅଧିକରୁ ଅଧିକ ପ୍ରାର୍ଥୀ ଜିତାଇବା । ଧର୍ମଶାଳାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିତିଥିଲା । କିନ୍ତୁ ଏବେ ପରିବର୍ତ୍ତିତ ପରିସ୍ଥିତି ଏହି ଉପନିର୍ବାଚନ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ପାଇଁ ଏସିଡ୍ ଟେଷ୍ଟ ହେବାକୁ ଯାଉଛି ।
ଜୁନ ମାସରେ ସରକାରକୁ ବର୍ଷେ ପୁରିବାକୁ ଯାଉଛି । ତେଣୁ ପଞ୍ଚାୟତ ଉପନର୍ବାଚନ ଶାସକ ବିଜେପି ପାଇଁ ବଡ ଅଗ୍ନିପରୀକ୍ଷା ହେବ । କାରଣ ବର୍ଷକ ପରେ ସରକାର ଲୋକଙ୍କ ଆସ୍ଥା ଭାଜନ ହୋଇଛି ତାହା ଜଣାପଡ଼ିବ । ଅନ୍ୟପଟେ ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଆସନରେ ରହି ପଞ୍ଚାୟତ ଉପନିର୍ବାଚନ ଲଢ଼ିବ । ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ଏହା ପ୍ରଥମ ପରୀକ୍ଷା ହେବାକୁ ଯାଉଛି ।