କନକ ବ୍ୟୁରୋ : ଗୋଟେ ପଟେ ସରକାର ସଂସଦରେ ଅପରେସନ ସିନ୍ଦୂରକୁ ନେଇ ବିବୃତ୍ତି ରଖୁଥିବା ବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ବୟାନକୁ ନେଇ ନୂଆ ବିବାଦ ଛିଡ଼ା ହୋଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀ ଥିଲେ ନା ନାହିଁ ଏନେଇ ପ୍ରମାଣ ମାଗିଛନ୍ତି ।
କେଉଁଠୁ ଆସିଥିଲେ ଆତଙ୍କୀ ? ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି କି ? ପାକିସ୍ତାନରୁ ଆସିଥିଲେ ବୋଲି କିଛି ପ୍ରମାଣ ଅଛି କି ? କାହିଁକି ଏବେ ସୁଦ୍ଧା ଧରାପଡ଼ିଲେନି ୪ ଆତଙ୍କୀ ? ଏନ୍ଆଇଏ ତଦନ୍ତରେ କି ନୂଆ ତଥ୍ୟ ମିଳିଛି ? ଆତଙ୍କୀଙ୍କୁ ସାହାଯ୍ୟ କରି ଗିରଫ ଲୋକଙ୍କୁ ଜେରା କରି କି ତଥ୍ୟ ମିଳିଛି ? ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଚିଦାମ୍ବରମ୍ଙ୍କ କିଛି ପ୍ରଶ୍ନ ବିବାଦ ସୃଷ୍ଟି କରିଛି । ସେପଟେ ବିଜେପି ସୋସିଆଲ ମିଡିଆ ପୋଷ୍ଟ କରି କହିଛି, ଚିଦାମ୍ବରମ୍ଙ୍କ ଏଭଳି ବୟାନ ଶତ୍ରୁ ଓ ଆତଙ୍କୀ ଦେଶକୁ କ୍ଲିନ୍ଚିଟ୍ ଦେବା ସଦୃଶ ।
ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂରକୁ ନେଇ ସଂସଦରେ ବିବୃତ୍ତି ରଖୁଛନ୍ତି ସରକାର । କିଛି ଦିନ ହେବ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ହଟ୍ଟଗୋଳ କରି ବିବୃତି ରଖିବାକୁ ଦାବି କରିଆସୁଥିଲେ । କିନ୍ତୁ ଠିକ ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତାଙ୍କ ଏଭଳି ବୟାନ ଦଳକୁ ସମ୍ଭବତଃ ସମସ୍ୟାରେ ପକାଇପାରେ ।
ସମାଲୋଚନା ଓ ବିବାଦରେ ପଡ଼ିବା ପରେ ଚିଦାମ୍ବରମ୍ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇ ଜାଣିଶୁଣି ବିବାଦରେ ଫସାଯାଉଛି । ସମ୍ପୂର୍ଣ୍ଣ ସାକ୍ଷାତକାରକୁ ନଦେଖି କେବଳ କିଛି ଭାଗକୁ ନେଇ ଏଭଳି ମତାମତ ଦେବା ଉଚିତ ନୁହେଁ । ସଂସଦରେ ବିରୋଧୀଙ୍କ ପ୍ରଶ୍ନ ପଚାରିବାର ଅଧିକାର ଅଛି ଓ ଉତ୍ତର ଦେବା ମଧ୍ୟ ଦାୟିତ୍ୱ । ଦେଶହିତରେ ସରକାରଙ୍କ ସହ ବିରୋଧୀ ସବୁବେଳେ ଏକାଠି ଛିଡ଼ା ହେଉଥିବା ବେଳେ ଅନାବଶ୍ୟକ ଭାବେ ଏଭଳି ମିଛ ସୂଚନା ପ୍ରଚାର ନିନ୍ଦନୀୟ ।