କନକ ବ୍ୟୁରୋ: ସୋମବାରରୁ ବୁଧବାର ଉପରାଷ୍ଟ୍ରପତିଙ୍କ ଇସ୍ତଫାକୁ ୭୨ ଘଣ୍ଟା ବିତିଗଲାଣି । ପଲ୍ଲୀରୁ ଦିଲ୍ଲୀ ଚର୍ଚ୍ଚା ଆଲୋଚନା, ତର୍କ ଓ ବିତର୍କ ଚାଲିଛି, ରାଜନୀତି ବି ଜୋରଦାର ହେଉଛି । ହେଲେ ଏତେବଡ଼ ସାମ୍ବିଧାନିକ ପଦରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କମ୍ ତାଙ୍କୁ ନେଇ ରାଜନୀତି ଅଧିକ ହେଉଥିବା ଦେଖିବାକୁ ମିଳିଛି । ନା କୌଣସି ରାଜନେତା, ନା କୌଣସି ରାଜନୀତି ସମୀକ୍ଷକ ନା ଆଉ କିଏ, ଏଯାବତ୍ କେହି ହେଲେ ବି ଧନଖଡ଼ କେମିତି ଅଛନ୍ତି, ହଠାତ୍ କାହିଁକି ବିଗିଡ଼ିଗଲା ତାଙ୍କ ସ୍ବାସ୍ଥ୍ୟ? କିମ୍ବା ସେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରିବାକୁ ମଧ୍ୟ ନେତାଙ୍କ ପାଖରେ ସମୟ ନାହିଁ ।
ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ସନ୍ଧ୍ୟାରେ ଘୋଷଣା କରିଥିଲେ ଯେ, ସେ ସ୍ୱାସ୍ଥ୍ୟଗତ କାରଣ ଏବଂ ଡାକ୍ତରୀ ପରାମର୍ଶକୁ ଦର୍ଶାଇ ତୁରନ୍ତ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛନ୍ତି । ଅଗଷ୍ଟ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିବା ୭୪ ବର୍ଷୀୟ ଧନଖଡ଼ଙ୍କର ୨୦୨୭ରେ କାର୍ଯ୍ୟକାଳ ପୂରଣ ହେବାର ଥିଲା । ତାଙ୍କର ହଠାତ୍ ନିଷ୍ପତ୍ତି ପଛରେ କାରଣ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପ୍ରତ୍ୟେକ ରାଜନୈତିକ ଦଳ ଏବଂ ସମସ୍ତ ରାଜନେତା ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କଂଗ୍ରେସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଅଧ୍ୟକ୍ଷଙ୍କ ହଠାତ୍ ଇସ୍ତଫା ଆଶ୍ଚର୍ଯ୍ୟଜନକ ।
କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍ । କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ ତାଙ୍କର ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଇସ୍ତଫାରେ ଆଖି ସାମ୍ନାକୁ ଯାହା ଦେଖାଦେଉଛି ତାହା ନୁହେଁ । ଏହା ପଛରେ ଅନ୍ୟ କିଛି ରହିଛି । ତଥାପି, ଏହା ଅନୁମାନ କରିବାର ସମୟ ନୁହେଁ । ଜଗଦୀପ ଧନଖଡ଼ ସରକାର ଏବଂ ବିରୋଧୀ ଉଭୟଙ୍କୁ ସମାନ ଭାବରେ ସମାଲୋଚନା କରୁଥିଲେ । ସେ ସୋମବାର ଅପରାହ୍ନ ୧ଟାରେ କାର୍ଯ୍ୟ ପରାମର୍ଶଦାତା କମିଟିର ଏକ ବୈଠକ ଡାକିଥିଲେ ଏବଂ ନ୍ୟାୟପାଳିକା ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ହଠାତ୍ କାହିଁକି ଇସ୍ତଫା ଦେଲେ ତାହା ଏବେ ସନ୍ଦେହ ଘେରରେ ।
ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟାକୁ ଆକ୍ଷେପ କରି କଂଗ୍ରେସ ନେତା ପବନ ଖେରା ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି, ଭାଷଣ ନାହିଁ, ଫେୟାରୱେଲ ନାହିଁ, ତେବେ କିପରି ଅଲ୍ ଇଜ୍ ୱେଲ୍ ? କଂଗ୍ରେସ ନେତା ଏବଂ ଅନ୍ୟ ସମସ୍ତ ରାଜନୈତିକ ଦଳର ନେତାମାନେ ଉପରାଷ୍ଟ୍ରପତିଙ୍କ ଇସ୍ତଫାକୁ ନେଇ ଲଗାତାର ନିଜର ମତାମତ ପ୍ରକାଶ କରୁଛନ୍ତି । ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶଶି ଥରୁର କହିଛନ୍ତି, ଆମେ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ । ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ଅତ୍ୟନ୍ତ ଦୁଃଖଦ ।
ବିରୋଧୀ ନେତାମାନେ ଧନଖଡ଼ଙ୍କ ଇସ୍ତଫା ପଛର କାରଣ ଉପରେ ପ୍ରଶ୍ନ ଉଠାଇଛନ୍ତି , କଂଗ୍ରେସ ନେତାମାନଙ୍କ ସହିତ ଅନ୍ୟ ଦଳଗୁଡ଼ିକ ତାଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ ଏହି ପଦବୀରେ ରହିବାକୁ କହିଛନ୍ତି । ଅନ୍ୟପକ୍ଷରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାର କାରଣ ପଚରାଯିବାରୁ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତା ପ୍ରକାଶ କରିଥିଲେ ଏବଂ ତା'ପରେ କହିଥିଲେ ଯେ, ଯଦି ଏହା ସ୍ୱାସ୍ଥ୍ୟ ସମ୍ପର୍କିତ ତେବେ ଆମେ କ'ଣ କହିବା ।
କଂଗ୍ରେସ ସାଂସଦ ମଲ୍ଲୁ ରବି ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଧନଖଡ଼ କୌଣସି ଶାରୀରିକ ଅସୁବିଧା ବିନା ଦୁଇ ଦିନ ଧରି ରାଜ୍ୟସଭା ପରିଚାଳନା କରିଥିଲେ । ତାଙ୍କ ଇସ୍ତଫାପତ୍ରରେ ଲେଖାଯାଇଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, କିନ୍ତୁ ଆମେ ଭାବୁଛୁ ଏହା ଶାରୀରିକ ଅସୁସ୍ଥତା କମ୍, ରାଜନୈତିକ ଅସୁସ୍ଥତାର ବିଷୟ ଅଧିକ ଅନୁମାନ କରାଯାଉଛି ।