କନକ ବ୍ୟୁରୋ: ଗୋଟିଏ ଟ୍ବିଟ୍ ପରେ ବଢ଼ିଲା ଟିଏମ୍‌ସି ଓ ବିଜେପି କଳି । ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଟ୍ବିଟ୍ ଭିଡିଡକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ, ଯିଏ ଯେମିତି ଆସିବେ ଏଠାରେ ଶରଣ ନେଇଯିବେ । ବେଆଇନ ଭାବେ ରହୁଥିବା ଲୋକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହୁଆ ଯେଉଁ ଦଳ ନାଁ ନେଇ ଏ କଥା କହିଛନ୍ତି ସେ ଦଳ ପ୍ରଥମେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ । ସେ ରାଜ୍ୟବାସୀଙ୍କ ସହ ଅଛନ୍ତି ନା ବେଆଇନରେ ବସବାସ କରୁଥିବା ବିଦେଶୀଙ୍କ ସହ ଅଛନ୍ତି । ସେଥିପାଇଁ ମହୁଆ ବିଜେଡି ନାଁ ନେଇ ବାଂଲାଦେଶୀଙ୍କୁ ସମର୍ଥନ କରିଛନ୍ତି । ଏମିତି କି ଯାହା ବିଜେଡି କହି ପାରୁନି ତାହା ତାଙ୍କ ନୂଆ ବୋହୂଙ୍କ ମୁହଁରେ କୁହାଉଛି । ସେ ଦଳ ଏହାର ସ୍ପଷ୍ଟୀକରଣ ଦେଉ । ଯେଉଁମାନଙ୍କୁ ଅଟକ ରଖାଯାଇଛି ତାଙ୍କର କାଗଜ ପତ୍ର ଯାଞ୍ଚ କରାଯାଉଛି, ଯାହା ପାଖରେ ବୈଧ କାଗଜପତ୍ର ଅଛି ତାଙ୍କୁ ଛଡ଼ା ଯାଉଛି । ଏକଥା ବୋଧେ ମହୁଆ ନିଜେ ଜାଣିନାହାନ୍ତି । ଆଗକୁ ଆହୁରି ବାଂଲାଦେଶୀ ବନ୍ଧାହେବେ ବୋଲି ସିଧାସିଧା କହିଛନ୍ତି ଝାରସୁଗୁଡ଼ା ବିଜେପି ବିଧାୟକ । 

Advertisment

ମହୁଆ ଆଜି ସକାଳୁ ସକାଳୁ ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪୨୧ ଜଣ ଶ୍ରମିକଙ୍କୁ ଅଟକ ରଖାଯିବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏକ ଭିଡିଓ ଜାରି କରି ସେ କହିଛନ୍ତି, ଅଟକ ରଖାଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୨୩ ଜଣ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗର, ମିର୍ଜାପୁରର ବାସିନ୍ଦା । ଆଧାରକାର୍ଡ ଭଳି ବୈଧ ପ୍ରମାଣପତ୍ର ରଖିଥିଲେ ମଧ୍ୟ ବେଆଇନ ଭାବେ ପୁଲିସ ଷ୍ଟେସନରେ ତାଙ୍କୁ ଅଟକ ରଖାଯାଇଛି । ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଏଭଳି ଘଟଣା ନିତିଦିନିଆ ହେଉଛି, ଯାହା ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକାଳରେ କେବେ ଘଟିନଥିଲା । ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି । ଯଦି ଆପଣ ଆମ ଶ୍ରମିକମାନଙ୍କୁ ଅଟକାଇବେ, ତେବେ ଆମ ପର୍ଯ୍ୟଟକମାନେ ଓଡ଼ିଶା ଆସିବା ବନ୍ଦ କରିଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଅପିଲ କରି ଏହି ଶ୍ରମିକମାନଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରିଛନ୍ତି ମହୁଆ ।