କନକ ବ୍ୟୁରୋ : ଗୃହ ଭିତରେ ଏବଂ ବାହାରେ ବିରୋଧୀଙ୍କ ହାଇଡ୍ରାମା । ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୪ ବିଧାୟକ । ସେପଟେ ପ୍ରତିବାଦକୁ ଓହ୍ଲାଇଛି ବିଜେଡି । ଏକ ହେଲେ ବିଜେଡି-କଂଗ୍ରେସ । ବିଧାନସଭା ଗେଟ୍ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ପୋଲିସ ଲଗାଇଥିଲା ବ୍ୟାରିକେଡ୍, ଭାଙ୍ଗିଲେ ବିଜେଡି ଓ କଂଗ୍ରେସ ।
ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ରୁଷ୍ ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ ପରିସ୍ଥିତି ଦେଖାଦେଲା । କଂଗ୍ରେସ ଏକ ଛୋଟ ଦାବି ରଖିଲା ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ । ବିବୃତି ରଖିଦେଲେ ବେଦ ଅଶୁଦ୍ଧ ହୋଇନଥାନ୍ତା । ଗୃହ କମିଟି ଗଠନ କରିବାକୁ ସରକାର ସହମତ ହେଲେନି ।
ଯେତେ ବେଳେ ତୂରୀ ଘଣ୍ଟ ବାଜିଲା ସେତେବେଳେ ସାଙ୍ଗେ ସାଙ୍ଗ ଆକ୍ସନ ନେଲେନାହିଁ କାହିଁକି । ବିଧାନସଭା କାର୍ଯ୍ୟ ବନ୍ଦ କରି ରଖିଲେ କାହିଁକି । ନପାରିଲା ପଣିଆ ହେଉ କି ଅଭିଜ୍ଞତା ନଥିବା ପାଇଁ ଆଜି ଏ ଅବସ୍ଥା । ପ୍ରସଙ୍ଗ ବଦଳାଇବା ପାଇଁ ସରକାର ଗୃହ ଚଳାଇ ଦେଉ ନାହାନ୍ତି । ଏ ସରକାର ରହିବନି । ସରକାର 9 ମାସରେ ଢେଲା ମାଡ଼ ଖାଇଲେଣି ।
ସେପଟେ ସରକାର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଗତକାଲି ଯେଉଁଭଳି ଭାବରେ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ବାହାର କରାଗଲା । ସେମାନେ ଆହତ ହୋଇଛନ୍ତି, ସରକାର କିଛି କହୁନାହାନ୍ତି । ଆମେ ଓବିସି ପାଇଁ ଧାରଣା ଦେଇଛୁ । ଆମକୁ ବି ପୋଲିସ ମାଡ଼ ମାରିଛି । ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି ଆମକୁ ମାଡ଼ ମାରିବା ପାଇଁ । ବିନା ବିରୋଧୀରେ ସରକାର ଯଦି ବିଧାନସଭା ଚଳେଇବେ ଆମେ ସହଯୋଗ କରିବୁ ନାହିଁ ।
ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ କହିଛନ୍ତି, ସରକାରଙ୍କ ବ୍ୟକ୍ତିଗତ ଏଜେଣ୍ଡା କଣ ଜଣାନ୍ତୁ । ବିଭିନ୍ନ ଆଳ ଦେଖାଇ ବିରୋଧୀ ଦଳ ମୋଷନକୁ ଗ୍ରହଣ କରୁନାହାନ୍ତି । ଜଡ଼ର ମୂଳ କୋଉଠି ହେଲା । ବିରୋଧୀ ଦଳ ଗୋଟେ କାର୍ୟ୍ୟକ୍ରମ କରିବା ପାଇଁ ଜଣାଇଲେ ଆପଣ ନ୍ୟାୟ ଦେବେ । କିନ୍ତୁ ଆପଣ ଏକ ଏକପାଖିଆ କଲେ । ୪୦ ବର୍ଷ ଇତିହାସରେ ଏମିତି ଦେଖିନଥିଲୁ । ବିଧାନସଭା ଭିତରେ ପୋଲିସ ପଶିଲା, ତାରାଙ୍କ ସୁନା ଚେନ ଛଡ଼ାଇଲେ । ଷ୍ଟେଟମେଣ୍ଟ ଦିଅନ୍ତୁ ଗୃହରେ ଶାନ୍ତି ଫେରନ୍ତୁ । ଆମ ସ୍ୱର ବନ୍ଦ କରି ଯଦି ଗୃହ ଚଳାଇବେ ଆମେ ଦବିବୁ ନାହିଁ । ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ । ହାଉସକୁ ଏକ ପାଖିଆ ଚଳେଇଲେ ଆମେ ଆପଣଙ୍କ ସହ ନାହୁଁ ।