କନକ ବ୍ୟୁରୋ : ନିର୍ବାଚନ ନାହିଁ, ହେଲେ ଓଡ଼ିଶା ରାଜନୈତିକ ପାଣିପାଗ ପୂରା ଉଷ୍ମ । ମହିଳା ପ୍ରସଙ୍ଗରେ ୩ ଦଳ ପରସ୍ପରକୁ ଘେରିବାକୁ କରୁଛନ୍ତି କସରତ । ଭାବମୂର୍ତ୍ତି ବଢ଼ାଇବାକୁ ଏବେ ମହିଳା କାର୍ଡ ଖେଳୁଛନ୍ତି ଶାସକ-ବିରୋଧୀ ।  ଯେଉଁଥିରେ ବେଶ୍‌ ଆଗରେ ରହିଛି କଂଗ୍ରେସ । ଉଭୟ ଦଳ ଓ ମୁଖିଆ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାକୁ ମହିଳା ପ୍ରସଙ୍ଗରେ ଦିଲ୍ଲୀରୁ ପଲ୍ଲୀ ଶାସକ ବିଜେପି ବିରୋଧରେ କରୁଛନ୍ତି ଗର୍ଜନ ତର୍ଜନ । ଯାହା ଦଳକୁ ଏବେ ବିରୋଧୀ ଭାବେ ଫ୍ରଣ୍ଟଫୁଟ୍‌ରେ ରଖିଛି ।  ଅନ୍ୟପଟେ ଦୀର୍ଘ ବର୍ଷେ ହେବ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ପାଉନଥିବା ବିଜେଡି ଏବେ ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ନାକେଦମ୍‌ କଲାଣି । ଏହା କେବଳ ଦଳର ଭାବମୂର୍ତ୍ତି ସଜାଡିବନି ବରଂ ମହିଳା ଭୋଟବ୍ୟାଙ୍କକୁ ଆହୁରି ବଳ ଦେବ ବୋଲି ନେତା ଆଶାବାଦୀ । 

Advertisment

ବର୍ଷେ ଭିତରେ ଅନେକ ବିବାଦ ଭିତରେ ଛନ୍ଦି ହୋଇଛି ସରକାର । ବିରୋଧୀଙ୍କ ଲଗାତାର କାଉଣ୍ଟର ମୋହନ ସରକାରଙ୍କ ଅଡ଼ୁଆକୁ ବଢ଼ାଇ ଦେଇଛି । ଏଭଳି ସ୍ଥଳେ ସମାନ ମହିଳା ପ୍ରସଙ୍ଗରେ ବିରୋଧୀଙ୍କୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡିଛି ଦଳ । ବିଜେପିର ୟଙ୍ଗ୍‌ ବ୍ରିଗେଡ୍‌ ନୂଆ ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ଏକଜୁଟ୍ ହୋଇଛନ୍ତି । ପୁରୁଣା ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇ ବିଜେଡିକୁ ଓ ଉଦିତ୍‌ ପ୍ରଧାନ ପ୍ରସଙ୍ଗରେ କଂଗ୍ରେସକୁ କାଠଗଡ଼ାକୁ ଟାଣୁଛି ବିଜେପି । ଆଗକୁ ପଞ୍ଚାୟତ ନିର୍ବାଚନ । ତୃଣମୂଳସ୍ତରରେ ଲୋକଙ୍କ ବିଶ୍ବାସ ଜିଣିବାକୁ ହେଲେ ୩ ଦଳ ପାଇଁ ଭାବମୂର୍ତ୍ତି ସଜାଡିବା ବେଶ ଗୁରୁତ୍ବପୂର୍ଣ୍ଣ । ନଚେତ ପଞ୍ଚାୟତ ପରୀକ୍ଷାରେ ପାସ୍ କରିବା ସହଜ ହେବନି ।