କନକ ବ୍ୟୁରୋ : ବର୍ଷା ସାଙ୍ଗକୁ ଶୂନଶାନ ସାରା ସହର । ସମସ୍ତେ ଶୋଇଥିଲେ । ଅଚାନକ ରାତି ସାଢ଼େ ୧୧ଟାରେ ରାଉରକେଲା ସହର ବୁଲି ବାହାରିଲେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ । ବିଧାୟକଙ୍କ ଏହି ଅଭିଯାନରେ ସାମିଲ ହୋଇଥିଲା କନକ ନ୍ୟୁଜ୍ । ଆଉ କଏଦ କରିଥିଲା ସମସ୍ତ ଦୃଶ୍ୟ l ବିଧାୟକଙ୍କ ସେକ୍ଟର- ୪ ଘରୁ ବାହାରି ଆମ୍ବ ବାଗାନ ଛକ, ସାତ ସତର ଛକ, ଛେଣ୍ଡ ଛକ ଓ ଏଷ୍ଟି ଛକ ବୁଲିବା ଭିତରେ କାହାରିକୁ ଦେଖିବାକୁ ମିଳିନଥିଲା ।  କେବଳ ପାନପୋଷ ଛକରେ ୩ ଜଣ ହୋମଗାର୍ଡ ଡ୍ୟୁଟି କରୁଥିଲେ । ଅନ୍ୟ କେଉଁଠି ପୁଲିସ ପାଟ୍ରୋଲିଂ ନଥିଲା କି ନଥିଲେ ପୁଲିସ । 

Advertisment

ପାନପୋଷ ଚିକିତ୍ସାଳୟର ଦୃଶ୍ୟ ବି ସାମ୍ନାକୁ ଆସିଛି । ଗେଟ୍‌ରେ ତାଲା ଝୁଲୁଥିଲା । ଅଧଘଣ୍ଟା କାଳ ଡାକିଲେ ବି କେହି ଶୁଣି ନଥିଲେ । ଶେଷରେ ପଛ ଗେଟ୍ ଦେଇ ହସ୍ପିଟାଲ୍ ଭିତରକୁ ଯାଇଥିଲେ ବିଧାୟକ । ଜଣେ ଦୁଇଜଣ ରୋଗୀଙ୍କୁ ଛାଡ଼ି କେହି ନଥିଲେ । OPD ରୁମ୍ ବନ୍ଦ ଥିଲା । ଆଖି ମଳିମଳି ବାହାରିଥିଲେ ସିକ୍ୟୁରିଟି ଗାର୍ଡ l ପଚାରିବାରୁ ସେ ମହିଳା ୱାର୍ଡ ଆଡ଼େ ଦେଖାଇଥିଲେ l ନିଘୋଡ଼ ନିଦରେ ଶୋଇଥିଲେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ l 

ଅନ୍ଧାରି ବିଜେରେ ବିଧାୟକ  ଏଭଳି ଦେଖି ବିରକ୍ତ  ହୋଇଯାଇଥିଲେ । ଅନ୍ୟ ଜରୁରି ସେବା ଯାହା ଚାଲିଥିବ ଅନୁମାନ କରିବା କଥା । ଏନେଇ ଉଚ୍ଚ ଅଧିକାରୀଙ୍କ ସହ କଥା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । କେମିତି ଲୋକଙ୍କୁ ଉଚିତ୍ ସେବା ଯୋଗାଇ ଦିଆଯିବ, ସେ  ନେଇ ନିଜେ ଦାୟିତ୍ୱ ନେବେ ବୋଲି କହିଛନ୍ତି ବିଧାୟକ ।