କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ ନାମାଙ୍କନ । କିନ୍ତୁ ସବୁ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ନେତା ଲବି କରୁଥିବାବେଳେ, ନୂଆପଡାରେ ଦଳ ଅଡୁଆରେ ପଡ଼ିଛି । ବିଜେଡିର ଭୁବନେଶ୍ୱର ନେତାମାନେ ଏବେ ଗ୍ରାଉଣ୍ଡରେ ପ୍ରାର୍ଥୀ ଖୋଜୁଛନ୍ତି ।

Advertisment

କ୍ଷମତାରୁ ହଟିବା ପରେ ବିଜେଡିର ସବୁ ବଦଳୁଛି । ଏକଦା ନିର୍ବାଚନ ପରିଚାଳନାରେ ସିଦ୍ଧହସ୍ତ ବୋଲାଉଥିବା ବିଜେଡି ନୂଆପଡ଼ା ଉପନିର୍ବାଚନରେ ପଛେଇଯାଇଛି । ଜୟ ଢୋଲକିଆ ବିଜେପି କ୍ୟାମ୍ପରେ ସାମିଲ ହେବା ପରେ କିଏ ହେବ ବିଜେଡି ପ୍ରାର୍ଥୀ ସେନେଇ ଅଙ୍କ ଛିଣ୍ଡୁନି । ନୂଆପଡ଼ାରୁ ଭୁବନେଶ୍ୱର ଯାଏ, ଘନ ଘନ ବୈଠକ ବସୁଛି ହେଲେ ଚୂଡ଼ାନ୍ତ ହୋଇପାରୁନି ପ୍ରାର୍ଥୀଙ୍କ ନାଁ । ବିଜେଡିର ଏକ ଗୋଷ୍ଠୀ ନୂଆପଡ଼ାରେ ଡେରା ପକାଇଛି, ଦଳୀୟ ନେତା କର୍ମୀଙ୍କୁ ଡାକି ମାରାଥନ ବୈଠକ  କରୁଛନ୍ତି । ଚର୍ଚ୍ଚାରେ ରହିଛନ୍ତି ଏହି ବିଜେଡି ନେତା । ତାରେଶ୍ୱରୀ ସାହୁ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷ, ଅବନୀ ଯୋଶୀ, ନୂଆପଡ଼ା ଜିଲ୍ଲା ସଭାପତି, ମନୋଜ ମିଶ୍ର, ବିଜେଡି ନେତା ।

ନୂଆପଡା ଦଖଲ ପାଇଁ ବଡ଼ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ମଣ୍ଡଳଠୁ ନେଇ ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତା । ପ୍ରତି ଜୋନ୍‌ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ପ୍ରତି ମନ୍ତ୍ରୀଙ୍କ ଅଧୀନରେ ରହିବ ୬ରୁ ୮ ପଞ୍ଚାୟତ । ସେହିପରି ପ୍ରତି ପଞ୍ଚାୟତ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ବିଧାୟକ । ପ୍ରଚାର ମୋର୍ଚ୍ଚା ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚର୍ଚ୍ଚା ଅନୁସାରେ ଦିନେ ଦୁଇଦିନ ଭିତରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିପାରନ୍ତି । ଅନ୍ୟପଟେ ପ୍ରାର୍ଥୀ ଘୋଷଣାରେ ଆଗୁଆ କଂଗ୍ରେସ ପ୍ରଚାରରେ ବି ଆଗୁଆ ରହିଛି ।