Photograph: (Kanak News)
କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତଃ ଘଟିଲା । ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନିଜ ଜିଲ୍ଲା ଗଞ୍ଜାମ ପାଇଁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲେ । ହେଲେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ, ଦଳୀୟ ଅନ୍ତଃ କନ୍ଦଳ କମିବ ନା ବଢିବ । ନା ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ ।
ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମ ପାଇଁ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଆସ୍ଥା ଓ ଭରସା ରଖି ଥିବାରୁ ସେ ସୁପ୍ରିମୋଙ୍କୁ ଧନ୍ୟବାଦ ଜମାଇଛନ୍ତି । ସେପଟେ ବିକ୍ରମଙ୍କୁ ବାସଭବନରେ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିବା ବେଳେ, ଆସି ନଥିଲେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।
୨୦୨୪ ସାଧାରଣ ନିର୍ବାଚନରେ ଗଞ୍ଜାମରେ ବିଜେଡିର ଶୋଚନୀୟ ପରାଜୟ ପରେ, ପଦାରେ ପଡ଼ିଥିଲା ଦଳୀୟ କନ୍ଦଳ । ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିକ୍ରମ ପଣ୍ଡା ମଧ୍ୟରେ ଥିବା ମତାନ୍ତର ଶେଷରେ ନବୀନ ନିବାସରେ ପହଞ୍ଚିଥିଲା । ସଭାପତି ନିଯୁକ୍ତି ପରେ ବିକ୍ରମଙ୍କ ସପକ୍ଷ ଗୋଷ୍ଠୀ ଏକଜୁଟ ହୋଇ ଦଳକୁ ସୁଦୃଢ ଚିନ୍ତା କରୁଥିବା ବେଳେ, ନୂଆ ସମୀକରଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ରାଜନୀତି ସମୀକ୍ଷକ ।ଏବେ ଦେଖିବାର କଥା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାରେ କେତେଦୂର ସକ୍ଷମ ହେଉଛନ୍ତି ବିକ୍ରମ ।
Follow Us