କନକ ବ୍ୟୁରୋ : ବିହାର ରାଜନୀତିକୁ ନେଇ ବଡ଼ ଚର୍ଚ୍ଚା ହେଉଛି । ଆଜି ହିଁ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନୂଆ ଦଳ ଗଢିବାକୁ ଯାଉଛନ୍ତି । କଥା ହେଲା, ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ଭିତରେ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଭିତରେ ଲାଲୁଙ୍କ ପୁଅ ଯଦି ନୂଆ ଦଳ ଗଢିବେ ତାହେଲେ ଆରଜେଡିର ଭବିଷ୍ୟତ କଣ ହେବ ତାହାକୁ ନେଇ କଳ୍ପନାଜଳ୍ପନା ବି ଜାରି ରହିଛି ।
ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ତେଜ ପ୍ରତାପ ଯାଦବ ଆଜି ଏକ ନୂଆ ରାଜନୈତିକ ଦଳ ଘୋଷଣା କରିପାରନ୍ତି । ତେଣୁ ଆଗାମୀ ଦିନରେ ବିହାର ରାଜନୀତିରେ କଣ ହେବ ସେନେଇ ଜାତୀୟ ଗଣାମାଧ୍ୟମରେ ଚର୍ଚ୍ଚା ହେଉଛି ।
ଗତ କିଛିଦିନ ହେବ ତେଜ ପ୍ରତାପଙ୍କ ବିଦ୍ରୋହୀ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥିଲା । ଏମିତିକି ନିଜର ଏକ ଫେସବୁକ୍ ପୋଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଥିଲେ, ଯେଉଁଥିରେ ସେ ଅନୁଷ୍କା ଯାଦବଙ୍କ ସହ ତାଙ୍କର ୧୨ ବର୍ଷର ସମ୍ପର୍କ ଥିବା କଥା ସାର୍ବଜନୀନ କରିଥିଲେ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଥିଲା । ବିବାଦ ବଢିବା ପରେ ଆରଜେଡି ସୁପ୍ରିମୋ ତଥା ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ରାଗିଥିଲେ । ଖାଲି ରାଗିଥିଲେ ତାହା ନୁହେଁ ବରଂ ତେଜ୍ୟପୁତ୍ର ଘୋଷଣା ବି କରିଥିଲେ । ଏହାସହ ଦଳ ଓ ପରିବାରରୁ ୬ ବର୍ଷ ପାଇଁ ବାହାର କରିଦେଇଥିଲେ । ବାପ ପୁଅଙ୍କ ଭିତରେ ଥିବା କଳିକୁ ନେଇ ବିରୋଧୀମାନେ ବି ରୁଟି ସେକିଥିଲେ । ହେଲେ ଏବେ ପୁଅ ତେଜପ୍ରତାପ ନୂଆ ଦଳ ଘୋଷଣା କରିବାକୁ ଯାଉଥିବାରୁ ଲାଲୁ ବି କାଳେ ଟେନସନ୍ରେ ଥିବା କୁହାଯାଉଛି ।
ତେବେ ପରିବାର ଏବଂ ଦଳରୁ ବହିଷ୍କୃତ ହେବା ପରେ ତେଜ ପ୍ରତାପ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଏକ ନୂଆ ରାସ୍ତା ବାଛିବାକୁ ଯାଉଥିବା କୁହାଯାଉଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ ନିଜର ନୂଆ ଦଳ କିମ୍ବା ସଂଗଠନର ନାମ ଘୋଷଣା କରିପାରନ୍ତି । ଚର୍ଚ୍ଚା ହେଉଛି ଯେ ଅନୁଷ୍କା ଯାଦବ ମଧ୍ୟ ତେଜ ପ୍ରତାପଙ୍କ ନୂଆ ଦଳରେ ସାମିଲ ହୋଇପାରନ୍ତି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ତେଜ ପ୍ରତାପ ବର୍ତ୍ତମାନ ହସନପୁରରୁ ବିଧାୟକ ଅଛନ୍ତି ଏବଂ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ମହୁଆରୁ ବିଧାୟକ ଥିଲେ । ଯଦି ସେ ନୂଆ ଦଳ ଗଠନ କରନ୍ତି, ତେବେ ଏହା ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଆରଜେଡି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ତେବେ ଏବେ କେବଳ ଅପେକ୍ଷା ତେଜପ୍ରତାପଙ୍କ ସାମ୍ବାଦିକ ସମ୍ମିଳନୀକୁ ।