କନକ ବ୍ୟୁରୋ : ଗତକାଲି ଶଙ୍ଖଭବନରେ ବିଜେଡି ସୁପ୍ରିମୋ ନବୀନ ରାଜ୍ୟ ବିଜେପି ଉପରେ ନିର୍ଘାତ ବର୍ଷିଲେ । ଚାଷୀ, ମହିଳା, ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ମୋହନ ସରକାରଙ୍କୁ କାଠଗଡାରେ ଛିଡା କଲେ । ହେଲେ କେନ୍ଦ୍ର ସରକାର ବିରୋଧରେ ନବୀନଙ୍କ ମୁହଁରୁ ପଦୁଟିଏ ମଧ୍ୟ ଶୁଣିବାକୁ ମିଳିଲାଣି । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀ ଏବେ ଦ୍ବନ୍ଦ୍ବରେ । ବିଜେଡି ଅନ୍ଦର ମହଲରୁ ମିଳିଥିବା ସୂଚନା ମୁତାବକ, ଦଳର ହେଭିୱେଟ୍ ନେତା ୨୦ରେ ମୋଦୀଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ପ୍ରସ୍ତାବ ରଖିଥିଲେ । କିନ୍ତୁ ୨୦ ପରିବର୍ତ୍ତେ ୧୩ ଓ ୧୮ରେ ପୃଥକ ସମାବେଶ କରିବାକୁ ନବୀନ ନିଷ୍ପତ୍ତି ନେବା ବିଜେଡିର ହେଭିୱେଟଙ୍କୁ ଚକିତ କରିଥିଲା । ଏପରିକି ଲୋକ ଚାହୁଁଥିଲେ ମଧ୍ୟ ଦଳ କାହିଁକି ଏଯାଏଁ ଆନ୍ଦୋଳନକୁ ଓହ୍ଲାଉ ନାହିଁ ବୋଲି କହି ପରୋକ୍ଷରେ ତେରଛା ବାଣ ମାରିଥିଲେ ନେତା । 

Advertisment

ନାହାନ୍ତି ସଂଗଠନ ମୁଖିଆ, ସମାବେଶ ହେବ କେମିତି?
କେନ୍ଦ୍ର ବିରୋଧରେ ନବୀନଙ୍କ ନୀରବ ଅବତାରକୁ ନେଇ କର୍ମୀ ଦ୍ବନ୍ଦ୍ବରେ ଥିବା ବେଳେ ରାଜ୍ୟ ବିଜେପି ବିରୋଧରେ ଗର୍ଜନ ତର୍ଜନ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । ଏଥିପାଇଁ ମହିଳା, ଯୁବ ଓ ଛାତ୍ରଙ୍କୁ ଆୟୁଧ କରି ବଡ ସମାବେଶ କରିବାକୁ ଯାଉଛି ବିଜେଡି । ୧୩ ତାରିଖରେ ଯାଜପୁରରେ ମହିଳା ସମାବେଶ ଓ ୧୮ ତାରିଖରେ ପୁରୀରେ ଯୁବ ଓ ଛାତ୍ର ସମାବେଶ କରିବ ବିଜେଡି । ହେଲେ, ଏଯାଏଁ ୩ ମୋର୍ଚ୍ଚାର ମୁଖିଆଙ୍କ ନାଁ ଘୋଷଣା କରିପାରିନାହାନ୍ତି ନବୀନ? ସଂଗଠନ ନବକଳେବରର ମାସକ ପରେ ମଧ୍ୟ କାହାକୁ ଦାୟିତ୍ବ ଦେବେ ନିଷ୍ପତ୍ତି ନେଇପାରୁନାହାନ୍ତି ସୁପ୍ରିମୋ । ପ୍ରଶ୍ନ ଉଠୁଛି, କେମିତି ସଫଳତାର ସହ ଯୁବ, ଛାତ୍ର ଓ ମହିଳା ସମାବେଶ ଜରିଆରେ ସରକାରଙ୍କୁ କାଉଁଣ୍ଟର କରିବ ବିଜେଡି । ମାଳମାଳ ଆଶାୟୀ, ନେତାଙ୍କ ମଧ୍ୟରେ ଛକାପଞ୍ଝା ନବୀନଙ୍କୁ ଛାମୁଆ ସଙ୍ଗଠନର ମଙ୍ଗୁଆଳ ବାଛିବାରେ ସଂଶୟରେ ପକାଇଛି । ଡବଲ ଇଞ୍ଜିନ ସରକାର ବିରୋଧରେ କର୍ମୀ ଚାହୁଁଛନ୍ତି ସାମ୍ନାସାମ୍ନି ଲଢେଇ । କିନ୍ତୁ ଦିଲ୍ଲୀ ବିରୋଧରେ ଏବେ ବି ବିଜେଡି ଶୀର୍ଷ ନେତୃତ୍ବଙ୍କ ସଫ୍ଟ ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।