କନକ ବ୍ୟୁରୋ : ବିଧାନସଭା ଓ ଲୋୟର ପିଏମଜିରୁ ଆସୁଥିବା ପ୍ରତିଟି ଦୃଶ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ବିଧାୟକମାନଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିବା ପରଠାରୁ ଏହା ଭିତରେ ୨୪ ଘଣ୍ଟା ବିତିଯାଇଥିଲେ ବି ଦିନ ତମାମ ଗଣମାଧ୍ୟମର ପ୍ରମୁଖ ଖବର ହୋଇଛି । ଅନ୍ୟପଟେ ଆସନ୍ତାକାଲି ବିଧାନସଭା ଘେରାଉ ପାଇଁ ସଜ ହେଉଛି କଂଗ୍ରେସ ।

Advertisment

ବିଳମ୍ବିତ ରାତିରେ ବିଧାୟକମାନଙ୍କୁ ମାର୍ଶାଲ ଲଗାଇ ଉଠାଇ ନେବା ଓ ପରେ ଲୋୟର ପିଏମଜିରେ ଫୋପାଡି ଦେବାକୁ ନେଇ ଗର୍ଜିଛି କଂଗ୍ରେସ । ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ବିଧାନସଭା ଅଭିମୁଖେ ବାହାରିଥିଲେ । ଘଣ୍ଟ ବଜାଇ, ପ୍ଲାକାର୍ଡ ଦେଖାଇ ପଦଯାତ୍ରା କରିଥିଲେ କଂଗ୍ରେସ ବିଧାୟକ । ବାଟରେ ସେମାନଙ୍କୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ହେଲେ ବ୍ୟାରିକେଡ୍ ଡେଇଁ ବିଧାନସଭା ଆଡକୁ ମାଡି ଯାଇଥିଲେ କଂଗ୍ରେସ ବିଧାୟକ ଓ ନେତା । ସେଠାରେ ପୋଲିସ ସହ କଂଗ୍ରେସ ବିଧାୟକ, ନେତାଙ୍କ ହୋଇଥିଲା ଧସ୍ତାଧସ୍ତି । ବିଧାନସଭା ଭିତରକୁ ଯିବାକୁ ଅଡ଼ି ବସିଥିଲେ ବିଧାୟକ, ହେଲେ ଛାଡିନଥିଲା ପୋଲିସ ।

ଉତ୍ତେଜନା ବଢ଼ୁଥିବାବେଳେ ପହଞ୍ଚିଲେ ଶତାଧିକ କର୍ମୀ । ରାତିରେ କଂଗ୍ରେସ ବିଧାୟକଙ୍କୁ ଗୃହରୁ ଉଠାଇ ଆଣି ରାସ୍ତା ଉପରେ ଫୋପାଡି ଦେବା ଓ ନିଲମ୍ବନକୁ ନେଇ ସରକାର ବିରୋଧରେ ଗର୍ଜିଥିଲେ । ବିଜେପି ବିରୋଧରେ ନାରାବାଜି କରିଥିଲେ । ସ୍ଥିତି ଅଣାୟତ ହେଉଥିବାବେଳେ ନେତା ଓ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ପରେ ବିଧାୟକମାନଙ୍କୁ ଉଠାଇ ନେଇ ପୋଲିସ୍ ବାରାକରେ ଅଟକ ରଖିଥିଲା । ନିର୍ବାଚିତ ପ୍ରତିନିଧିଙ୍କ ସହ ପୋଲିସର ଆଚରଣକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ । ଏପରିକି ସୁରକ୍ଷାକର୍ମୀ ମାଡ଼ ମାରିବା ସହ ଚେନ୍ ଛଡାଇ ନେଇଥିବା ଅଭିଯୋଗ ଆଣିଛନ୍ତ ତାରା ବାହିନୀପତି ।

କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏକ ହୋଇଛି କଂଗ୍ରେସ । ଦଳର ସବୁ ବରିଷ୍ଠ ନେତା ରାତିରେ ବିଧାନସଭା ପାଖକୁ ଯାଇ ସମର୍ଥନ ଜଣାଇବା ସହ ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ।

ନାରୀ ନିର୍ଯାତନ ପ୍ରସଙ୍ଗରେ ବାରମ୍ବାର ହଟ୍ଟଗୋଳ କରିବାରୁ ବିଧାନସଭାରେ ବିଶୃଂଖଳା କରିବା ଅଭିଯୋଗରେ ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି । ହେଲେ ନିଲମ୍ବନ ପରେ ବିଧାୟକମାନେ ଗୃହ ଛାଡିନଥିଲେ । ବିଳମ୍ବିତ ରାତିରେ ସେମାନଙ୍କୁ ମାର୍ଶାଲ ଲଗାଇ ବାହାର କରିଦେଇଥିଲେ ସରକାର । ଆଜି ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କରିଥିଲେ ବାଚସ୍ପତି ।