କନକ ବ୍ୟୁରୋ: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଦଫାରେ ପରିବର୍ତ୍ତନ ହେଉଛି । ଆତ୍ମହତ୍ୟା ପାଇଁ ଉସୁକାଇବା ଦଫା ଲଗାଯାଉଛି । ଯେଉଁମାନେ ନିଜ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି । ଛାତ୍ରୀ ଜଣକ ମାନସିକ ଯନ୍ତ୍ରଣାର ଶିକାର ହୋଇଥିଲେ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଖୋଜା ଚାଲିଛି । ମୃତକଙ୍କ ମା’ ମଧ୍ୟ ଚାହୁଛନ୍ତି, ତଦନ୍ତର ପରିସର ବଢ଼ାଯାଉ । ଯିଏ ମାନସିକ ନିର୍ଯାତନା ଦେଇଥିବେ, ତାଙ୍କୁ ତଦନ୍ତ ପରିସରକୁ ଅଣାଯିବ । ଶିକ୍ଷା ବିଭାଗର ତଦନ୍ତ ରିପୋର୍ଟକୁ ତର୍ଜମା କରାଯାଉଛି ବୋଲି ସୁରେଶ କହିଛନ୍ତି । 

Advertisment

ସେପଟେ, ବିଜେପି ଅଫିସ୍‌ରେ ବୈଠକ ଶେଷ ହୋଇଛି । ଏହାପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ବାଲେଶ୍ୱର ଘଟଣାରେ ରାଜ୍ୟ ସରକାର କଠୋରରୁ କଠୋର ପଦକ୍ଷେପ ଆରମ୍ଭରୁ ନେଇଥିଲେ । ଯେଉଁଥି ପାଇଁ ପ୍ରମୁଖ ଦୁଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଘଟଣାରେ ଯେଉଁମାନେ ସମ୍ପୃକ୍ତ  ସମସ୍ତେ ଦଣ୍ଡିତ ହେବେ । ସେନେଇ  ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବାଲେଶ୍ୱର ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଘଟଣା ଯେମିତି ଭବିଷ୍ୟତରେ ରାଜ୍ୟର କୌଣସି କଲେଜରେ ନଘଟେ ସେନେଇ  ସରକାର ଚେଷ୍ଟିତ ଅଛନ୍ତି ।