କନକ ବ୍ୟୁରୋ : ନିର୍ବାଚନ ଆୟୋଗ ଉପରେ ଖପ୍ପା ସୁପ୍ରିମକୋର୍ଟ । ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପାଇଁ ଲୋକଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର ଓ ରାସନ କାର୍ଡ ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ପୁଣି ଏହାକୁ ନେଇ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗ ଦ୍ବାରା ମଗାଯାଇଥିବା ଦସ୍ତାବିଜ ତାଲିକା ମଧ୍ୟରେ ଆଧାର କାର୍ଡକୁ ବାଦ ଦେବାକୁ ବିରୋଧ କରିଛନ୍ତି । 
ସୁପ୍ରିମକୋର୍ଟ ଜଷ୍ଟିସ୍ ସୁଧାଂଶୁ ଧୁଲିଆ କହିଛନ୍ତି, ଏହି ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ମୌଳିକ ପ୍ରମାଣପତ୍ର ନାହିଁ, ସେମାନଙ୍କ ପାଖରୁ ସମସ୍ତ ଦସ୍ତାବିଜ କିପରି ଦାବି କରାଯାଇପାରେ? ମୋ ପାଖରେ ବି ମୋର ଜନ୍ମ ପ୍ରମାଣପତ୍ର ନାହିଁ । 

Advertisment

ରାଜ୍ୟରେ ନାଗରିକତା ପ୍ରମାଣ ପାଇଁ ଆବଶ୍ୟକ ୧୧ଟି ତାଲିକାଭୁକ୍ତ ଦସ୍ତାବିଜରେ ଆଧାରକୁ ବାଦ୍ ଦିଆଯାଇଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ପ୍ରକଟ କରିଛନ୍ତି । ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନରେ ଆପଣ ନାଗରିକତା ପ୍ରସଙ୍ଗ ଆଡ଼କୁ କାହିଁକି ଯାଉଛନ୍ତି? ଏହା ଗୃହ ମନ୍ତ୍ରଣାଳୟର ଅଧୀନରେ ଅଛି ବୋଲି ଖଣ୍ଡପୀଠ ନିର୍ବାଚନ କମିସନଙ୍କୁ କହିଛନ୍ତି । ଯଦି ଆପଣ ବିହାରରେ ଭୋଟର ତାଲିକାର ଏସ୍‌ଆଇଆର୍‌ ଅଧୀନରେ ନାଗରିକତା ଯାଞ୍ଚ କରିବାକୁ ଚାହୁଛନ୍ତି, ତେବେ ଏହା ଆଗରୁ କରିବାର ଥିଲା । ଅଦାଲତ କହିଛନ୍ତି ଯେ ଏସ୍‌ଆଇଆର୍‌ ପ୍ରକ୍ରିୟାରେ କିଛି ଭୁଲ ନାହିଁ ଏବଂ ଏହା ସାମ୍ବିଧାନିକ ଦୃଷ୍ଟିରୁ ବୈଧ ।  ବର୍ଷ ଶେଷରେ ଆଗାମୀ ରାଜ୍ୟ କାର୍ଯ୍ୟସୂଚୀରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାରୁ ଏହାକୁ ପୃଥକ କରି ସ୍ୱାଧୀନ ଭାବରେ କରାଯିବା ଉଚିତ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି । ସୁପ୍ରିମ୍‌କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି  ଯେ ଏହା ବିହାରରେ ଭୋଟର ତାଲିକା ସଂଶୋଧନ ଉପରେ ରୋକ୍ ଲଗାଇବା ସପକ୍ଷରେ ନାହାନ୍ତି କିନ୍ତୁ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବା ପୂର୍ବରୁ ଅଗଷ୍ଟ ୧ ସୁଦ୍ଧା ମାମଲା ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି ।

ନୋଟିସ୍ ଓ ଶୁଣାଣିର ସୁଯୋଗ ନ ଦେଇ ବିହାରରେ କୌଣସି ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ହଟାଯିବ ନାହିଁ ବୋଲି ନିର୍ବାଚନ କମିସନ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ ସମୟକ୍ରମେ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା କିମ୍ବା ବାଦ୍ ଦେବା ପାଇଁ ଭୋଟର ତାଲିକାରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି । ନାଗରିକତା ଉପରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ସମ୍ବିଧାନର ଧାରା ୩୨୬ ଅନୁଯାୟୀ ଭାରତରେ ଭୋଟର ହେବା ପାଇଁ ନାଗରିକତା ଯାଞ୍ଚ କରାଯିବା ଆବଶ୍ୟକ । ନେପାଳ, ବାଂଲାଦେଶ ଓ ମ୍ୟାମାର ଭଳି ଦେଶରୁ ଆସିଥିବା ବେଆଇନ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବେ ଏହି ପ୍ରକ୍ରିୟା କରାଯାଇଛି ବୋଲି  ଦର୍ଶାଇ ନିର୍ବାଚନ କମିସନ ସାମ୍ବିଧାନିକ ବ୍ୟବସ୍ଥାକୁ ମନେ ପକାଇ ଦେଇଛନ୍ତି । ଭାରତର ସମ୍ବିଧାନ ସର୍ବୋଚ୍ଚ । ସମସ୍ତ ନାଗରିକ, ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗ ସମ୍ବିଧାନକୁ ଅନୁସରଣ କରୁଛନ୍ତି ବୋଲି ନିର୍ବାଚନ କମିସନ ଏକ ବିବୃତିରେ କହିଛନ୍ତି ।