କନକ ବ୍ୟୁରୋ : ଉଜବେକିସ୍ତାନ୍‌ର ତାସକେଣ୍ଟରେ ଆୟୋଜିତ ୧୫୦ତମ ଆଇପିୟୁ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ସାଂସଦ ସସ୍ମିତ ପାତ୍ର ଦିଲ୍ଲୀ ଫେରିଛନ୍ତି । ଆଉ ଫେରିବା ପରେ ୱାକଫ ବିଲ୍‌କୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ୱାକଫ ବିଲ୍‌ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନାକଲେ । ଦଳ ଅନୁମତି ଦେଲେ ମୁହଁ ଖୋଲିବେ କହିଲେ ସସ୍ମିତ ପାତ୍ର ।

ସସ୍ମିତଙ୍କ ଏଭଳି ପ୍ରତିକ୍ରିୟା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ୱାକଫ୍‌ ବିଲ୍‌କୁ ନେଇ ସସ୍ମିତଙ୍କ ଭୂମିକା ସନ୍ଦେହରେ ରହିଛି । ତାକୁ ନେଇ ଓଡ଼ିଶାରେ ତମ୍ୱିତୋଫାନ ଚାଲିଛି । ମୁନା ଖାଁ ନବୀନଙ୍କ ଭେଟିବା, ମୁନା ଖାଁଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତାମାନେ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ହେଲେ ଆଜିଯାଏ ତାଙ୍କୁ ଯୋଗାଯୋଗ କରିନାହାନ୍ତି କି ବିଜେଡି ସୁପ୍ରିମୋ ?

ସବୁଠାର ଆଶ୍ଚର୍ଯ୍ୟର କଥା ହେଉଛି, ନବୀନ ଗତକାଲି ସସ୍ମିତ କିମ୍ବା ୱାକଫ୍‌ ବିଲ୍‌ ପ୍ରସଙ୍ଗରେ ପଦୁଟିଏ କହିନଥିଲେ । ବରଂ ପାଣ୍ଡିଆନଙ୍କୁ କ୍ଲିନ୍‌ଚିଟ୍‌ ଦେଇ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିବା ସହ ହୋଟେଲରେ ବୈଠକ କରିଥିବା ଦଳର ବରିଷ୍ଠ ନେତାମାନଙ୍କୁ ନାଲିଆଖି ଦେଖାଇଥିଲେ । ରାଜ୍ୟସଭାରେ ୱାକଫ୍‌ ବିଲକୁ ବିରୋଧ କରିବା ପାଇଁ ନବୀନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା । ହେଲେ ସସ୍ମିତ ପାତ୍ର କାହା କଥାରେ ବିଲ୍‌ ସପକ୍ଷରେ ଭୋଟ୍‌ ଦେଲେ ସେନେଇ ନବୀନଙ୍କୁ ଭେଟି ଫେରାଦ ହୋଇସାରିଛନ୍ତି ମୁନା ଖାଁ ।

ଏପରିକି ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ସସ୍ମିତ ଓ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦ୍ଦେଶ ଦେଇଥିବା ବାହ୍ୟଶକ୍ତି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି ନବୀନ ? ବରଂ ହୋଟେଲରେ ବୈଠକ କରିଥିବା ନେତାଙ୍କୁ ଦେଖାଇଛନ୍ତି ନାଲି ଆଖି । ନବୀନଙ୍କ ନାଲିଆଖି ପରେ ଡରିଯିବେ କି ବରିଷ୍ଠ ନେତା ? ନା ପୂର୍ବ କାର୍ଯ୍ୟାନୁଷ୍ଠାନ ଦାବିରେ କାଏମ ରହିବେ ?

ବିଜେଡି ରାଜନୀତିର ଆଉ ଏକ ରୋଚକ ଦୃଶ୍ୟ ହେଉଛି ବୁଧବାର ଭୁବନେଶ୍ୱର କ୍ରିଷ୍ଟାଲ କ୍ରାଉନ ବୈଠକରେ ସାମିଲ ହୋଇଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ପୁଣି ନବୀନଙ୍କ ପାଖରେ ବି ଛିଡ଼ା ହୋଇଥିଲେ । ତେଣୁ ସନ୍ଦେହ ହେଉଛି, ସକାଳେ ପ୍ରଭାତଙ୍କ ସାଙ୍ଗରେ ଥିବା ବରିଷ୍ଠ ନେତା ସଂଧ୍ୟାରେ ସାଥ ଛାଡ଼ିଦେଲେ କି ?