କନକ ବ୍ୟୁରୋ: ବିଜେଡିକୁ ବାଏ ବାଏ କଲେ ନା ବିଜେଡିରୁ ତଡ଼ା ଖାଇଲେ , ଏସବୁର ପ୍ରଶ୍ନ ଭିତରେ ବିଜେଡି ଓ ବିଜେଡି ନେତାଙ୍କୁ ନୈତିକତାର ପାଠ ପଢ଼ାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଖାସ୍ କରି ପ୍ରତାପଙ୍କୁ ନିଜ ରାଡାରରେ ନେଇ ପ୍ରବଳ ବର୍ଷିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ।

Advertisment

ପ୍ରତାପ ଜେନା ମୋ ଠାରୁ ବହୁତ ସାନ ଆଉ ରାଜନୀତିରେ ଛୋଟ ପିଲା ସେ । ଓଡ଼ିଶାରେ କ’ଣ କରିଛନ୍ତି କ’ଣ ନାହିଁ, କାହିଁକି ବିଜେଡି ତାଙ୍କୁ ଟିକେଟ୍ ନଦେଇେ ତାଙ୍କ ପୁଅକୁ ଟିକେଟ୍ ଦେଲା ସେ କଥା ସାରା ଓଡ଼ିଶାବାସୀ ଜାଣିଛନ୍ତି । ସେ ମୋ ସମସ୍କନ୍ଦ ନୁହେଁ ତେଣୁ ତାଙ୍କୁ ନେଇ ମୁଁ କିଛି କହିବା ଉଚିତ୍ ଭାବୁନି ।

ଖାଲି ଏତିକି ନୁହେଁ ପ୍ରତାପଙ୍କୁ ମନ୍ତ୍ରୀପଦରୁ ବଦଳି କରିଥିଲେ ନବୀନ ବାବୁ ବରଂ ମୋତେ ୧୦ ବର୍ଷ ଗୋଟିଏ ବିଭାଗରେ ମନ୍ତ୍ରୀ କରିକି ରଖିଥଲେ । କାରଣ ମୁଁ କିଛି ଖରାପ କାମ କରିନଥିଲି ବୋଲି ନବୀନ ବାବୁ ମୋତେ ବିଶ୍ବାସ କରିଥିଲେ । ଏବେ ଦଳ ପୂର୍ବ ଭଳି ନୀତି ଆଦର୍ଶରେ ଚାଲୁନି ବୋଲି ଆମେ ସଭାପତି ନବୀନ ବାବୁଙ୍କୁ ମଧ୍ୟ ପୂର୍ବରୁ ଜଣାଇଥିଲୁ ହେଲେ ଏବେ ଅନୁଭବ ହେଉଛି ଯେ ଦଳ ବିପର୍ଯ୍ୟୟ ଆଡ଼କୁ ଯାଉଛି ।  

ତେବେ କିଛିଦିନ ହେବ ବିଜେଡି ଦଳରେ କିଛି ଠିକ୍ ଚାଲୁନଥିବା କହି ଆସୁଥିଲେ ରାଜ୍ୟ ରାଜନୀତିର ଟାଣୁଆ ନେତା ପ୍ରଫୁଲ୍ଲ ମଲ୍ଲିକ । ବିଜେଡି ପୂର୍ବ ଭଳି ନୀତି ଆଦର୍ଶରେ ନଚାଲେ ତେବେ ଦଳ ଛାଡ଼ିଦେବି ବୋଲି ଗତକାଲି ଚରମବାଣୀ ଶୁଣାଇଥିଲେ ପ୍ରଫୁଲ୍ଲ । ଯାହାକୁ ନେଇ ବିଜେଡିରେ କମ୍ପନ ହୋଇଥିଲା, ପ୍ରଫୁଲ୍ଲଙ୍କ କହିବାର ୨୪ ଘଣ୍ଟା ନପୂରୁଣୁ ଦଳ ତାଙ୍କୁ ନିଲମ୍ବନ କରିଥିବା ଦର୍ଶାଇ ଏକ ପ୍ରେସରିଲିଜ୍ ଜାରି କରିଛି । ଏନେଇ ପ୍ରଫୁଲ୍ଲ ମଧ୍ୟ ରୋକଠୋକ୍ କହିଛନ୍ତି ଯେ ଇସ୍ତଫା ଦେବା ପରେ ବ୍ୟାକ୍ ଡେଟ୍ କରି ମୋର ନିଲମ୍ବନ ପ୍ରେସ ରିଲିଜ୍ ଜାରି କରିଛି ବିଜେଡି ।

ବଡ଼କଥା ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି କରିବା ବଦଳରେ, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଶିବିର ଏବେ ଶକ୍ତି ହରାଇବାରେ ଲାଗିଛି । ନିକଟରେ ରାୟଗଡ଼ାର ବରିଷ୍ଠ ନେତା ଏନ, ଭାସ୍କର ରାଓ ବିଜେଡିକୁ ବାଏ ବାଏ କରିଥିବା ବେଳେ ଏବେ ପ୍ରଫୁଲ୍ଲଙ୍କ ନିଲମ୍ବନ ପରେ ଢେଙ୍କାନାଳରେ ଦଳ ଦୁର୍ବଳ ହୋଇଥିବା ବାରି ହେଉଛି ।