କନକ ବ୍ୟୁରୋ : ସ୍ୱତନ୍ତ୍ର ଭୋଟ ତାଲିକା ସଂଶୋଧନ ପ୍ରସଙ୍ଗରେ ଜାତୀୟ ରାଜନୀତି ଉଠୁଛି ପଡୁଛି । ରାହୁଲଙ୍କ ସମେତ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ଏହାକୁ ପ୍ରସଙ୍ଗ କରି ନିର୍ବାଚନ କମିସନ ଓ କେନ୍ଦ୍ର ସରକାରକୁ ଘେରୁଛନ୍ତି । ଏହାରି ଭିତରେ ଭୋଟ ଚୋରିକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି ।
ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ଓଡ଼ିଶାରେ ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ସିଇଓ । କହିଛନ୍ତି, ଆସନ୍ତାମାସରୁ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ । ଜାନୁଆରି ୭ରେ ଆସିବ ସଂଶୋଧିତ ତାଲିକା । ଓଡ଼ିଶାରେ ୭ ହଜାର ଏପିକ୍ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି । ଏଥିରୁ କେବଳ ୫ ହଜାର ଏପିକ୍ ନମ୍ବର ବାଙ୍କିରେ ଥିଲା । ଏହି ଏପିକ୍ ନମ୍ବର କେବଳ ଭୋଟ ପରିଚୟ ପତ୍ର ପାଇଁ ଦିଆଯାଇଛି ।
ଶେଷଥର ପାଇଁ ୨୦୦୨ରେ ଓଡିଶାରେ ଭୋଟର ତାଲିକା ସଂଶୋଧନ ହୋଇଥିଲା । ଅର୍ଥାତ ୨୪ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବ ଏସଆଇଆର । ଚୂଡ଼ାନ୍ତ ତାଲିକା ଆସିବା ପରେ ସ୍ପଷ୍ଟ ହେବ କେତେ ଭୋଟର କଟିଲେ କେତେ ରହିଲେ ।
ଭୋଟ ଚୋରି ପ୍ରସଙ୍ଗରେ ଜାତୀୟ ରାଜନୀତି ହୁଲସ୍ତୁଲ ହେଉଥିବାବେଳେ ଓଡ଼ିଶାରେ ବି ଭୋଟ ଚୋରି ହୋଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ସେପ୍ଟେମ୍ବର ୪ରେ ନିର୍ବାଚନ ନିର୍ବାଚନ କମିସନଙ୍କ ଆଗରେ ଧାରଣା ଦେବାକୁ କଂଗ୍ରେସ ଘୋଷଣା କରିଛି । ବିଜେଡି ଏହି ପ୍ରସଙ୍ଗରେ ପୂର୍ବରୁ ନିର୍ବାଚନ କମିସନଙ୍କୁ ଭେଟି ନିଜର ପକ୍ଷ ରଖିଛି । ଆଗକୁ ଏହା ବଡ଼ ପ୍ରସଙ୍ଗ ହେବ ବୋଲି ବିଜେଡି ନେତା କହିଛନ୍ତି । ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛି ବିଜେପି ।
ବିରୋଧୀଙ୍କ ଅଭିଯୋଗର କଡ଼ା ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ଅଧିକାରୀ । କହିଛନ୍ତି, ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି । ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ବିଶ୍ୱସନୀୟତା ଓ ଲୋକଙ୍କ ଆସ୍ଥା ଭାଙ୍ଗନ୍ତୁ ନାହିଁ ।