କନକ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଝଟକା ଲାଗିଛି । ଦଳର ମିଡିଆ ପ୍ୟାନେଲିଷ୍ଟ ଅସିତ ନାଥ ତିୱାରୀ ସୋମବାର ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ସଭାପତି ଦିଲ୍ଲୀପ ଜୟସୱାଲଙ୍କୁ ଟାର୍ଗେଟ କରି ଏକ ଫେସବୁକ୍ ପୋଷ୍ଟରେ ଇସ୍ତଫା ଘୋଷଣା କରିଛନ୍ତି । ସେ ଇସ୍ତଫା ଦେବାର କାରଣ ମଧ୍ୟ ଦେଇଛନ୍ତି । ଅସିତ ନାଥ ତିୱାରୀ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିଲେ ।
ଅସିତ ନାଥ ତିୱାରୀ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, "ସମ୍ମାନୀୟ ଦିଲ୍ଲୀପ ଜୟସୱାଲ ଜୀ, ଗତ କିଛିଦିନ ହେବ ଅପରାଧ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବଳାତ୍କାର ପୀଡିତା ଝିଅଙ୍କ କ୍ଷେତ୍ରରେ ଆପଣଙ୍କ ମନୋଭାବ ଆଶ୍ଚର୍ଯ୍ୟଜନକ ଥିଲା । ଅପରାଧିକ ଘଟଣାର ପିଡିତାମାନେ ଆପଣଙ୍କ ପରି ଭିଆଇପି ନୁହଁନ୍ତି, ସେମାନେ ସାଧାରଣ ଲୋକ, ଆଉ ସାଧାରଣ ଲୋକଙ୍କ ଯନ୍ତ୍ରଣା ସହିତ ଆପଣଙ୍କର କ'ଣ ବା ସମ୍ପର୍କ ରହିଛି? ସେମାନଙ୍କ ଦୁଃଖ ବୁଝିବାକୁ ଆପଣଙ୍କ ପାଖେ ସମୟ ବା କାହିଁ... ମୁଁ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲି ଆଉ ଆଉ ଆପଣ ଉତ୍ତେଜିତ ହୋଇଗଲେ।"
ପୋଷ୍ଟରେ ସେ ଆହୁରି ଲେଖିଛନ୍ତି, "ପିଏମସିଏଚ କ୍ୟାମ୍ପସରେ ଆମ୍ବୁଲାନ୍ସରେ ବଳାତ୍କାର ପୀଡିତା ଯନ୍ତ୍ରଣାରେ ଛଟପଟ ହେଉଥିଲେ, ତାଙ୍କୁ ବଳାତ୍କାରୀ ଏକ ଧାରୁଆ ଅସ୍ତ୍ରରେ ଅନେକ ସ୍ଥାନରେ ଆଘାତ ଦେଇଥିଲା, ତାଙ୍କୁ ବେଡ୍ ମିଳିଲା ନାହିଁ । ଯେତେବେଳେ ମୁଁ ଏହା ବିରୁଦ୍ଧରେ ସ୍ୱର ଉଠାଇଲି, ତୁମେ ରାଗିଗଲ । କିନ୍ତୁ ତୁମ ରାଗ ବଳାତ୍କାରୀଙ୍କ ଉପରେ ଆସିଲା ନାହିଁ, ତୁମେ ଦୁର୍ନୀତିଗ୍ରସ୍ତ ହସ୍ପିଟାଲ ପ୍ରଶାସନ ଉପରେ ରାଗିଲ ନାହିଁ । ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ ତ’ ଆଉ କ’ଣ?"
ଅସିତ ନାଥ ତିୱାରୀ ପୋଷ୍ଟ ମାଧ୍ୟମରେ ଆହୁରି କହିଛନ୍ତି, "ମୁଁ ଡାକ୍ତର ସଞ୍ଜୟ ଜୟସୱାଲ ନୁହେଁ ଯେ ଏକା ଥରକେ ପୋଷ୍ଟ ଡିଲିଟ୍ କରି ଫେରାର ହୋଇଯିବି । ମୁଁ ବ୍ୟକ୍ତିଗତ ସ୍ୱାର୍ଥକୁ ମାନବିକ ମର୍ଯ୍ୟାଦା ଉପରେ ରଖିପାରିବି ନାହିଁ । ଆପଣଙ୍କ ସହିତ ଆଗକୁ ବଢିବା ଆଉ ସମ୍ଭବ ନୁହେଁ । ଆପଣ ମୋତେ ଦଳରେ ମୁଖପାତ୍ର ଭାବରେ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ କୃତଜ୍ଞ... ଏବେ ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ, ଏପରି ପୋଷ୍ଟ କରି ଦିଲ୍ଲୀପଙ୍କୁ ଟାର୍ଗେଟ୍ କରିବା ସହ ଦଳରୁ ଇସ୍ତଫା ଦେଇଛନ୍ତି । ଏହାର ପ୍ରଭାବ ଆଗାମୀ ଦିନରେ ବିଜେପି ଉପରେ ପଡିବ କି ନାହିଁ ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/06/03/99obCDg9dc3mbFh4Earf.webp)