କନକ ବ୍ୟୁରୋ : ବୟାନ ପାଇଁ କେତେବେଳେ ବିବାଦରେ ତ କେତେବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି କଂଗ୍ରେସର ତୁଙ୍ଗ ନେତା ଶଶୀ ଥରୁର । ଏଥର ବଂଶବାଦ ଉପରେ ଥରୁରଙ୍କ ଆଲେଖ୍ୟ, କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି । ସେପଟେ ପରମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ୍ କରିବା ପାଇଁ ବିଜେପିକୁ ମିଳିଯାଇଛି ନୂଆ ମଉକା ।

Advertisment

ଆଞ୍ଚଳିକ ହେଉ କିମ୍ବା ଜାତୀୟ ରାଜନୀତି । ବଂଶବାଦ ପ୍ରସଙ୍ଗକୁ ନେଇ ସବୁବେଳେ ଚାଲିଛି ତର୍କବିତର୍କ । ବଂଶବାଦ ରାଜନୀତି ଆଳରେ କଂଗ୍ରେସକୁ ସବୁବେଳେ ବିଜେପି ମାରୁଛି ତେରଛା ବାଣ । ଏବେ ଏହି ବିବାଦୀୟ ପ୍ରସଙ୍ଗକୁ ଅଧିକ ତୀବ୍ର କରିଛି ଥରୁରଙ୍କ ନୂଆ ଆଲେଖ୍ୟ । ଭାରତୀୟ ରାଜନୀତି ଏକ ପାରିବାରିକ ବ୍ୟବସାୟ ବୋଲି ଥରରୁ ଲେଖିଛନ୍ତି । ରାଜନୀତି କାହାର ପୈତୃକ ସମ୍ପତ୍ତି ନୁହେଁ । ବଂଶବାଦ ରାଜନୀତି ଗଣତନ୍ତ୍ର ପ୍ରତି ବଡ଼ ବିପଦ । ବଂଶବାଦ ନୁହେଁ, ଯୋଗ୍ୟତା ଆଧାରରେ ସୁଯୋଗ ମିଳିବା ଉଚିତ । ବଂଶବାଦ ରାଜନୀତି ଜନ୍ମସିଦ୍ଧ ଅଧିକାରରେ ପରିଣତ ନହେଉ । ଆଇନଗତ ଭାବେ ବାଧ୍ୟତାମୂଳକ କାର୍ଯ୍ୟକାଳ ସୀମା ଓ ମୌଳିକ ସଂସ୍କାର ଆବଶ୍ୟକ । ଦଳୀୟ ନେତାଙ୍କ ଏଭଳି ଲେଖାକୁ କଡ଼ା ବିରୋଧ କରିଛନ୍ତି କଂଗ୍ରେସର କିଛି ବରିଷ୍ଠ ନେତା ।

ଅଧିକ ପଢ଼ନ୍ତୁ : ଅମିତ ଶାହଙ୍କ ଇସାରା: ସମ୍ରାଟ ଚୌଧୁରୀ ହେବେ କି ମୁଖ୍ୟମନ୍ତ୍ରୀ ?

ସେପଟେ ଶଶୀ ଥରରୁଙ୍କୁ ବିଜେପି ନେତା ଖତରୋଁ କେ ଖିଲାଡି କହି କଂଗ୍ରେସର କଟା ଘାରେ ଚୂନ ମାରିଛି । ଦଳୀୟ ନେତା ସେହେଜାଦ ପୁନାୱାଲଙ୍କ ସୋସିଆଲ ମିଡିଆ ପୋଷ୍ଟ ବେଶ ଚର୍ଚ୍ଚା ସାଉଁଟିଛି । ପୁନାୱାଲ ଲେଖିଛନ୍ତି, ଥରୁର ଜଣେ ଖତରୋଁ କେ ଖିଲାଡ଼ି । ନେପୋ କିଡ୍‌ଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି । ଆଗକୁ ତାଙ୍କ ପ୍ରତି ବିପଦ ରହିଛି । ଶଶୀ ସାର୍‌ଙ୍କ ପାଇଁ ପ୍ରାର୍ଥନା କରୁଛୁ ।

ବଂଶବାଦକୁ ନେଇ ପୂର୍ବରୁ ଏକାଧିକ ବାର କଂଗ୍ରେସ, ଆରଜେଡି, ଡିଏମକେକୁ ବିଜେପି, ଟାର୍ଗେଟ୍ କରିଥିଲା । ବର୍ତ୍ତମାନ ଥରୁରଙ୍କ ଏହି ଲେଖା ବିଜେପିକୁ ପୁଣି ଏକ ବଡ଼ ପ୍ରସଙ୍ଗ ଦେଇଛି । ରାଜନୈତିକ ଦୃଷ୍ଟିରୁ ଶଶୀ ଥରୁରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ଥିତିରେ କଂଗ୍ରେସ ନାହିଁ । ତେବେ ସ୍ୱୀକାର କରିବାକୁ ପଡ଼ିବ ଯେ ସାଂସଦ ଶଶୀ ଥରୁର ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି । ଆଉ ଏଥିରୁ ଫାଇଦା ଉଠାଇବା ପାଇଁ କୌଣସି ମଉକା ହାତଛଡ଼ା କରିବନି ବିଜେପି ।