କନକ ବ୍ୟୁରୋ : ଅପରେସନ ସିନ୍ଦୂରରେ କଂଗ୍ରେସର ଅଫିସିଆଲ ଲାଇନକୁ ସମର୍ଥନ କରିବାକୁ ଶଶୀ ଥରୁର ପୁଣି ମନା କରିଛନ୍ତି । ଏ ସମ୍ପର୍କୀୟ ଲୋକସଭାରେ ଆଲୋଚନାରେ ଭାଗଦେବାକୁ ଦଳର ନିମନ୍ତ୍ରଣକୁ ସାଂସଦ ଶଶି ଅତି ନମ୍ରତାର ସହ ପ୍ରତ୍ୟାଖାନ କରିଛନ୍ତି ।
ନିକଟରେ ମୋଦୀ ସରକାରଙ୍କ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ବିଭିନ୍ନ ରାଷ୍ଟ୍ରକୁ ଯାଇ ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ବାବଦରେ ବିଶ୍ୱ ମଞ୍ଚରେ ପାକିସ୍ତାନର ମୁଖା ଖୋଲିଥିଲେ । ୭ଟିମରୁ ଗୋଟିଏ ଟିମର ପ୍ରତିନିଧିତ୍ୱ କରିଥିଲେ କଂଗ୍ରେସର ତୁଙ୍ଗ ନେତା ଶଶି ଥରୁର । ଏବେ ଅପରେସନ ସିନ୍ଦୂର ବାବଦରେ ସରକାର ସଂସଦରେ ବିବୃତି ରଖୁଛନ୍ତି । ତେବେ ଏହି ଆଲୋଚନାରେ ଭାଗ ନେବେ କି ନାହିଁ ଶଶିଙ୍କୁ ମିଡିଆ ପ୍ରଶ୍ନ ପଚାରିଥିଲେ ।
ଶଶୀ ଏକଥା ଭଲଭାବେ ଜାଣନ୍ତି ଯଦି ସରକାରଙ୍କ ବିରୋଧରେ ମତ ଦେବେ ତେବେ ବିଦେଶଗସ୍ତ ଯାଇ ମୋଦୀ ସରକାରଙ୍କ ସଫଳତା ବଖାଣିବା କିଛିର ଅର୍ଥ ରହିବନି । ସେପଟେ ସପକ୍ଷରେ ମତମତା ଦେଲେ ମଧ୍ୟ ଅଡୁଆରେ ପଡିବେ । ବିରୋଧୀ ଶିବିରର ସାଂସଦ ହୋଇ ସରକାରଙ୍କ ସମର୍ଥନ ଓ ବିରୋଧରେ ମତ ଦେବେ କି ନାହିଁ ଧର୍ମସଙ୍କଟରେ ପଡିଥିବା ଶଶି ମୌନବ୍ରତ ବୟାନ ଦେଇ ସେଫ ଜୋନରେ ନିଜକୁ ରଖିଛନ୍ତି ।
ଅନ୍ତର୍ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱକୁ ପ୍ରଶଂସା କରି କଂଗ୍ରେସ ସାଂସଦ ଶଶୀ ଥରୁର ନିଜ ଦଳଠାରୁ ପୁଣି ଅଲଗା ମତ ରଖିଥିଲେ । ଅପରେସନ ସିନ୍ଦୂର, ସର୍ବଦଳୀୟ ବିଦେଶଗସ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱର ପ୍ରଶଂସା କଥା କହି ଦଳୀୟ ନେତାଙ୍କ ରୋଷର ଶିକାର ମଧ୍ୟ ହୋଇଛନ୍ତି । ଏଭଳି ସ୍ଥିତିରେ ସଂସଦରେ ତାଙ୍କ ଉପସ୍ଥିତିଠୁ ତାଙ୍କ ଅନୁପସ୍ଥିତି ହୁଏତ ଅଧିକ ବିବାଦ ଛିଡା କରିପାରେ ।