କନକ ବ୍ୟୁରୋ : ରାୟଗଡ଼ା ରାଜନୀତି ଏବେ ସରଗରମ । ବିଜେଡିର ସ୍ଥିତି ସାଂଘାତିକ । କାଦୁଅ ଫିଙ୍ଗା ରାଜନୀତିରୁ ଫାଇଦା ନେଇପାରେ କଂଗ୍ରେସ । ବରିଷ୍ଠ ନେତା ଏନ୍‌. ଭାସ୍କର ରାଓ ଦଳ ଛାଡ଼ିବା ପରେ ଗୋଟିଏ ଗୋଟିଏ ଘଟଣା ଘଟୁଛି । ଆଗକୁ କ'ଣ ହେବ ବିଜେଡିର ଭାଗ୍ୟ ? ଏମିତି ଚର୍ଚ୍ଚା ଭିତରେ ବିଜେଡି ଜିଲ୍ଲା ସଭାପତି କହିଛନ୍ତି ପୁଣି ୧ ନଂ ହେବ ବିଜୁ ଜନତା ଦଳ ।

Advertisment

ବରିଷ୍ଠ ନେତା ଏନ୍‌ ଭାସ୍କର ରାଓ ବିଜେଡି ଛାଡ଼ିବା ପରେ ପ୍ରତିଦିନ କିଛି ନା କିଛି ଘଟୁଛି । କେବେ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣାତ୍ମକ ଆଭିମୁଖ୍ୟ ତ ପୁଣି କେବେ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଭାସ୍କର ଗୋଷ୍ଠୀ । ପୌର ଉପାଧ୍ୟକ୍ଷା ଶୁଭ୍ରାରାଣୀ ପଣ୍ଡାଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି ୧୯ ଜଣ କାଉନସିଲର୍‌ ।

ଗତ ୯ ତାରିଖରେ ଭାସ୍କର ରାଓ ସମର୍ଥକଙ୍କୁ ନେଇ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ କରିଛନ୍ତି ନୂଆ ସଂଗଠନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ସେପଟେ ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି, ସେ ଦଳ ଛାଡ଼ିବା କୌଣସି ପ୍ରଭାବ ପଡ଼ିବ ନାହିଁ । ୧୯୫୧ରୁ କଂଗ୍ରେସ ଗଡ଼ ଭାବରେ ପରିଚିତ ରାୟଗଡ଼ାରେ ଶଙ୍ଖ ନାଦ ଶୁଭିବା ପଛରେ ଥିଲେ ଏନ୍. ଭାସ୍କର ରାଓ । ୨୦୦୦ରେ ବିଜେଡିର ଲାଲବିହାରୀ ହିମିରିକାଙ୍କ ବିଜୟ ଶ୍ରେୟ ବି ତାଙ୍କୁ ଯାଏ । ୨୦୧୪ରୁ ଏନ୍. ଭାସ୍କର ରାଓ ଓ ସୁଧୀର ଦାଶଙ୍କ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ଯାହାର ଫାଇଦା ନେଉଛି କଂଗ୍ରେସ ।

ଜିଲ୍ଲାରେ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥା ଓ ନୂଆ ସମୀକରଣ ଆଗକୁ କେଉଁ ମୋଡ଼ ନେଉଛି ଏବଂ ଏଥିରୁ କିଏ ଫାଇଦା ନେଉଛି ତାହା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଜଣାପଡ଼ିବ ।